ନନ୍ଦିଘୋଷ ବ୍ୟୁରୋ: ପୁଣି ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଆଶଙ୍କା। ଅର୍ଣ୍ଣବ ପରେ ପୁଣି ଆସୁଛି ଆଉ ଏକ ସମ୍ଭାବ୍ୟ ବାତ୍ୟା । ଯାହାର ନାମ ରଖାଯାଇଛି ମୂରସୁ ! ସୂଚନା ଅନୁସାରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳ ସୁଦ୍ଧା ଏକ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେଇ ବାତ୍ୟା ରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆସନ୍ତା ୧ ତାରିଖ ସନ୍ଧ୍ୟା କିମ୍ବା ୨ ତାରିଖ ସକାଳ ସୁଦ୍ଧା ଏହା ବାତ୍ୟାର ରୂପ ନେଇ ପାରେ ବୋଲି ପାଣିପାଗ ବିଜ୍ଞାନୀ ଅନୁମାନ କରୁଛନ୍ତି। ଯଦି ବାତ୍ୟା ସୃଷ୍ଟି ହେବ ଏହାର ନାମ ରହିବ ମୁରସୁ । ବର୍ତ୍ତମାନ ଯାହା ଗତି ବିଧି ରହିଛି ଏହା ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ମୁହାଁ ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ଏଇ କିଛି ଦିନ ତଳେ ଅକ୍ଟୋବର ୨୮ ତାରିଖରେ ଆନ୍ଧ୍ରପ୍ରଦେଶର କାକିନାଡାରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ଅର୍ଣ୍ଣବ । ଯାହା ଆନ୍ଧ୍ରରେ ତାଣ୍ଡବ ରଚିଥିବା ବେଳେ ଦକ୍ଷିଣ ଓଡିଶା ବିଶେଷଭାବେ ପ୍ରଭାବିତ ହୋଇଥିଲା । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଧନଜୀବନ ଗଭରୀ ଭାବେ ପ୍ରଭାବିତ ହୋଇଥିଲା । ଆଉ ବାତ୍ୟା ଛାଡିଯିବା ପରେ ଏବେ ଦାଉ ସାଧୁଛି ବନ୍ୟା । ଆଉ ଏହାରି ଭିତରେ ପୁଣି ଏକ ବାତ୍ୟା ଆଶଙ୍କା ଏବେ ସମସ୍ତଙ୍କ ମନରେ ଛନକା ସୃଷ୍ଟି କରିଛି। ଯଦି ସତରେ ଏହି ବାତ୍ୟା ହୁଏ, ତାହା ହେଲା ରାଜ୍ୟରେ ବନ୍ୟା ସ୍ଥିତି ଆହୁରି ଉତ୍କଟ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

