ପଟାଙ୍ଗୀ: ମୁରବିଶୂନ୍ୟ ବିଇଓ ଅଫିସ । ମୁକୁଳା ପଡ଼ିଛି କାର୍ଯ୍ୟାଳୟ । ଅଫିସରେ ନାହାଁନ୍ତି ବ୍ଲକ ଶିକ୍ଷାଧିକାରୀ । ୧୦ ମାସ ହେଲା ଖାଲି ପଡିଛି ଚେୟାର । ସେହିପରି ତିନି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଚେୟାର ବି ଖାଲି ପଡିଛି । ଜଣେ ବଦଳି ହୋଇଯାଇଛନ୍ତି । ଆଉ ଦୁଇ ଜଣ ଅବସର ନେଇସାରିଲେଣି । ଅଧିକାରୀ ନଥିବାରୁ ସାଧାରଣ ଲୋକ, ଶିକ୍ଷକ, ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ କାମ ହୋଇପାରୁନି । କିନ୍ତୁ ସରକାର ବେଫିକର । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଶିକ୍ଷା ବିଭାଗରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା । ବିନା ବଡ଼ ବାବୁରେ ଚାଲିଛି ଅଫିସ । ବ୍ଲକ ଶିକ୍ଷା ବିଭାଗରେ ଖାଲି ପଡ଼ିଛି ବ୍ଲକ ଶିକ୍ଷାଧିକାରୀ ଓ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଚେୟାର । କାମ କେମିତି ଚାଲୁଥିବ ଏଥିରୁ ସହଜରେ ଅନୁମାନ କରାଯାଇପାରିବ । ବିଇଓ ଓ ଏବିଇଓ ନଥିବାରୁ ସାଧାରଣ ଲୋକ, ଶିକ୍ଷକ, ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ କାମ ହୋଇପାରୁନି ।
ନିୟମ ଅନୁଯାୟୀ ବ୍ଲକରେ ୩ ଜଣ ABEO ରହିବା କଥା । କିନ୍ତୁ ଜଣେ ୨୦୨୫ ଜୁନରେ ଅବସର ନେଇଥିବା ବେଳେ ଅନ୍ୟ ଜଣଙ୍କୁ ନନ୍ଦପୁର ବ୍ଲକକୁ ବଦଳି କରାଯାଇଛି । ଏବେ କାର୍ଯ୍ୟରତ ପ୍ରଭାକର ଖଟୁଆ ନିକଟରେ ଅବସର ନେବା ପରେ ABEO ପଦବୀ ସଂପୂର୍ଣ୍ଣ ଖାଲି ପଡ଼ିଛି ।
ଯଦି ଦେଖିବା ପଟାଙ୍ଗୀ ବ୍ଲକ ଅଧୀନରେ ୧୭୮ଟି ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରହିଛି । ଯଦି ଶିକ୍ଷା ବିଭାଗରେ ଅଧିକାରୀ ପଦ ଖାଲି ରହିବ । ତେବେ କୋଟିଆ, ଆମ୍ପାବାଲି, ପେଟୁର ଓ ସୁଙ୍କି ଭଳି ପଞ୍ଚାୟତରେ ଶିକ୍ଷା ବ୍ୟବସ୍ଥାର ତଦାରଖ କରିବ କିଏ ? କିଭଳି ପରିଚାଳିତ ହେବ ସମସ୍ତ ସ୍କୁଲ ? ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ ।…

