ପାଣ୍ଡିୟାନ୍ କହିଲେ ମୁଖ୍ୟମନ୍ତ୍ରୀଙ୍କ ଶ୍ରୀଜଗନ୍ନାଥ ଭକ୍ତିର କଥା, ଐତିହ୍ୟ କରିଡରର ଚିଠା ଲୋକାର୍ପିତ

ଭୁବନେଶ୍ୱର : ପୁରୀ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଚିଠାକୁ ଓଡ଼ିଶାର ଜନସାଧାରଣଙ୍କର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଶ୍ରୀମନ୍ଦିର ଚାରିପାଖ କେମିତି ରୂପରେ ପ୍ଲାନ କରାଯିବ ସେ ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କଠାରୁ ମତାମତ ମଗାଯାଇଛି । ୨୦୨୦ ଜାନୁଆରୀ ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ଇମେଲ୍ ମାଧ୍ୟମରେ ମତ ପଠାଇବାକୁ ପରାମର୍ଶ ରହିଛି । ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା କରାଯାଇ ଚୂଡାନ୍ତ ପ୍ଲାନ୍ ଫେବ୍ରୁଆରୀରେ ପ୍ରକାଶିତ ହେବ ।
ଏହି କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତିମାନେ ଜମି ଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ ଜମି ଦାନ କରିଥିବା ବ୍ୟକ୍ତିବିଶେଷଙ୍କର ନାମ ଏହି ଐତିହ୍ୟ କରିଡରରେ ଏକ ଫଳକରେ ସବୁଦିନ ପାଇଁ ସ୍ଥାନୀତ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଐତିହ୍ୟ କରିଡର ପାଇଁ ଅଧିଗୃହୀତ ସମସ୍ତ ଜମି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ରେକର୍ଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି, ତାର ଚତୁପାର୍ଶ୍ୱରେ ୭୫ ମିଟର ପର୍ଯ୍ୟନ୍ତ ଖାଲି କରାଯାଇ ଏହାର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଆଜି ଲୋକାର୍ପିତ ହୋଇଥିବା ଚିଠା କେବଳ କରିଡରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟରେ ସୀମିତ । ଶ୍ରୀମନ୍ଦିରର ସୁରକ୍ଷା ଓ କାର୍ଯ୍ୟପ୍ରଣାଳୀ ନିମନ୍ତେ ଯୋଜନା ପ୍ରସ୍ତୁତି ଦାୟିତ୍ୱ ଏ ସଂକ୍ରାନ୍ତରେ ଖ୍ୟାତି ଅର୍ଜନ କରିଥିବା ବୃତ୍ତିଧାରୀ ମାନଙ୍କୁ ଦିଆଯିବାକୁ ସ୍ଥିର ହୋଇଛି ।
ଶ୍ରୀମନ୍ଦିରକୁ ପ୍ରତିଦିନ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଆସୁଛନ୍ତି । ସେମାନଙ୍କୁ ଉପଯୁକ୍ତ ସୁବିଧା ଏବଂ ସେମାନେ ଯେମିତି ଏକ ପବିତ୍ର ଅନୁଭୂତି ନେଇ ଫେରିବେ ତା ପ୍ରତି ପାରିପାର୍ଶ୍ୱିକ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା କରାଯିବା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା କରାଯିବ । ଯାତ୍ରୀମାନଙ୍କ ପାଦ ଓ ହାତ ଧୋଇବା ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକ, ସିସିଟିଭି ବ୍ୟବସ୍ଥା ସହିତ ପିଇବା ପାଣି ଓ ଶୌଚାଳୟର ବ୍ୟବସ୍ଥା କରାଯିବ ।
ଏହି ବୈଠକରେ ୫ଟି ସଚିବ ଭିକେ ପାଣ୍ଡିୟାନ ଐତିହ୍ୟ କରିଡର ପରିକଳ୍ପନା କିଭଳି ହେଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ ।
୨୦୧୬ ମସିହାରେ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ପୁରୀ ଯାଉଥିବା ସମୟରେ ରାସ୍ତାରେ ଯେଉଁଠି ଯେଉଁଠି ମହାପ୍ରଭୁଙ୍କର ଫଟୋ ରହିଥିବା ମୁଖ୍ୟମନ୍ତ୍ରୀ ସେ ସବୁକୁ ନମସ୍କାର କରୁଥିଲେ । ପୁରୀ ପହଞ୍ଚିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସେତେବେଳର କଥା ବଖାଣିବା ସହ ମୁଖ୍ୟମନ୍ତ୍ରୀଙ୍କ ଭକ୍ତି ସଂପର୍କରେ କହିଥିଲେ ପାଣ୍ଡିୟାନ୍ । ପରବର୍ତ୍ତୀ ସମୟରେ ପୁରୀ ଜେଲ୍ ସ୍ଥାନାନ୍ତର ଠାରୁ ଆରମ୍ଭ କରି ଏ ଯୋଜନାର ମୂଳଦୁଆ ପଡି଼ଥିବା କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।