ଭୁବନେଶ୍ୱର: ରାଜଧାନୀ ହାଇୱେରେ ହାଇୱା ହରର୍ । ପଳାଶୁଣିରେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛରୁ ପିଟିଲା ଟ୍ରକ୍ । ୪ଟି ଗାଡିକୁ ଧକ୍କା ଦେଇଛି ହାଇୱା । ଭୁବନେଶ୍ୱରରୁ କଟକ ଆଡକୁ ଯାଉଥିଲା ସମସ୍ତ ଗାଡି । ୩ଟି କାର ଓ ଗୋଟିଏ ବାଇକକୁ ଚାପି ଦେଇଛି ଟ୍ରକ । ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ କାର୍ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି ଡ୍ରାଇଭର ।
ରାସ୍ତା ପାର୍ଶ୍ୱରେ ଥିବା ଏକ ସିସିଟିଭିରେ କଏଦ ହୋଇଛି ଦୁର୍ଘଟଣାର ଭୟାନକ ଚିତ୍ର। ଜଣେ ବ୍ୟକ୍ତି ରାସ୍ତା ପାର ହେଉଥିବାବେଳେ ଏକ ଟ୍ରକ ଅଟକିଯାଇଥିଲା । ପରେ ଦୁଇଟି କାର ପଛରେ ଅଟକିଯାଇଥିଲେ । କିନ୍ତୁ ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଧଳା ରଙ୍ଗର ହାଇୱା ଏକ କାରକୁ ଧକ୍କା ଦେଇଥିଲା। ତା ପରେ ନୀଳରଙ୍ଗର କାର କୁ ପଛ ପଟୁ ଏକଦମ ଚାପି ଦେଇଥିଲା । ଫଳରେ ଧଲା ରଙ୍ଗର କାରଟି ସାଇଡ ହୋଇ ଅନ୍ୟ ଏକ ବାଇକକୁ ଧକ୍କା ଦେଇଥିବା ବେଳେ ନୀଳ ରଙ୍ଗର କାରଟି ସେଇଠାରେ ଚେପା ହୋଇଯାଇଥିଲା । ଏବଂ ଡ୍ରାଇଭର ଜଣଙ୍କ ଘଟଣାସ୍ଥଳରେ ଜୀବନ ହାରିଥିଲେ ।
ସେପଟେ ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ । ଏବଂ ଦୁର୍ଘଟଣା ଫଳରେ ପଳାଶୁଣୀ ଓଭରବ୍ରିଜ ଉପରେ ଟ୍ରାଫିକ ଜାମ ହୋଇୟାଇଥିଲା । ପୋଲିସ ପହଁଚି ଟ୍ରାଫିକ ମୁକାବିଲା କରୁଥିଲା । ଅଗ୍ନିଶମ ବାହିନୀ ଦୁର୍ଘଟଣାଗ୍ରସ୍ତ କାରଟିକୁ କଟର ସାହାଯ୍ୟରେ କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲେ । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଛି ।

