ଉଦଘାଟନ କାର୍ଯ୍ୟକ୍ରମ ପାଇଁ ଟଙ୍କା ମାଗୁଛନ୍ତି କେନ୍ଦ୍ରମନ୍ତ୍ରୀ
କୋଚି: ଅଭିନେତା ତଥା କେରଳ ତ୍ରିଶୂର ସାଂସଦ ସୁରେଶ ଗୋପୀଙ୍କ ନାଁରେ ଅଭିଯୋଗ । ଉଦଘାଟନ କାର୍ଯ୍ୟକ୍ରମକୁ ଗଲେ ପଇସା ନେବେ ବୋଲି କହି ବିବାଦକୁ ଠେଲି ହୋଇଛନ୍ତି ସୁରେଶ ଗୋପୀ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟ ଅଭିନେତାଙ୍କ ଭଳି କୌଣସି ଉଦଘାଟନ ବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେଲେ ଦାବି ମୁତାବକ ପାଉଣା ନେବେ । କୌଣସି କାର୍ଯ୍ୟକ୍ରମକୁ ଗଲେ ସାଂସଦ ଭାବେ ଉଦଘାଟନ କରିବିନି ବରଂ ଅଭିନେତା ଭାବେ ଯୋଗ ଦେଇ ଏଥିପାଇଁ ବେତନ ନେବି । ସେ ଏହା ବି ସ୍ପଷ୍ଟ କରିଛନ୍ତି ଯେ ସେ ଏଥିରୁ ଯାହା ଫିସ୍ ମିଳିବ ତାଙ୍କ ଟ୍ରଷ୍ଟ ଲୋକଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବେ ।
ସାଧାରଣତଃ କୌଣସି ସାଂସଦ ବା ମନ୍ତ୍ରୀ କୌଣସି କାର୍ଯ୍ୟକ୍ରମର ଉଦଘାଟନ କଲେ ପଇସା ଦାବି କରିନଥାନ୍ତି । କିନ୍ତୁ ସୁରେଶ ଗୋପୀ ଜଣେ ଲୋକପ୍ରିୟ ଅଭିନେତା ବି ଅଟନ୍ତି । ଏଭଳି କ୍ଷେତ୍ରରେ ସେ ପଇସା ମାଗି ପାରିବେ କି ? କୌଣସି ସାଂସଦ ଅନ୍ୟ ରୋଜଗାର କରିପାରିବେ କି ? ଏଥିପାଇଁ ସମ୍ବିଧାନରେ କଣ ନିୟମ ରହିଛି ? ସମ୍ବିଧାନ ଓ ଜନପ୍ରତିନିଧିତ୍ବ ଅଧିନିୟମ ୧୯୫୧ ଅନୁସାରେ ସାଂସଦ ଓ ବିଧାୟକଙ୍କ ଆଚରଣ ପାଇଁ ଅନେକ ପ୍ରାବଧାନ ରହିଛି ।.
ସମ୍ବିଧାନର ଅନୁଚ୍ଛେଦ ୧୦୨ (୧ଏ) ଅନୁସାରେ କୌଣସି ସାଂସଦ ବା ବିଧାୟକ ଏମିତି କୌଣସି ପଦରେ ରହିପାରିବେନି ଯେଉଁଠି ବେତନ ବା ଭତ୍ତା ସମେତ ଅନ୍ୟ କୌଣସି ଲାଭ ମିଳୁଥିବ । ସାଂସଦ ଓ ବିଧାୟକଙ୍କୁ ଅନ୍ୟ ପଦରୁ ଲାଭ ନ ଉଠାଇବା ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୯୧ (୧ଏ) ଓ ଜନପ୍ରତିନିଧି ଆଇନର ଧାରା ୯ଏ ଅନୁସାରେ ପ୍ରାବଧାନ ରହିଛି ।
କେରଳର ତ୍ରିଶୂର ଆସନରୁ ଜିତି ଲୋକସଭାକୁ ଯାଇଛନ୍ତି । ଏହା ବିଜେପି ପାଇଁ ଐତିହାସିକ ସଫଳତା ଥିଲା । କାରଣ ପ୍ରଥମ ଥର କେରଳରେ କୌଣସି ବ୍ୟକ୍ତି ବିଜେପି ଟିକେଟରୁ ଜିତି ସଂସଦରେ ପହଞ୍ଚିଥିଲେ । ବିଜେପି ତାଙ୍କୁ ଏଥିପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ବ ଦେଇଥିଲା । କିନ୍ତୁ ନିର୍ବାଚନ ଜିତିବା ପରେ ସେ ଅଭିନୟ କ୍ୟାରିଅର ଛାଡିବେ ନାହିଁ ବୋଲି ଘୋଷଣା କରିଥିଲେ । ଏହା ସହ ଯାହା ରୋଜଗାର କରିବେ ତାର ଏକ ଭାଗ ସମାଜ କଲ୍ୟାଣରେ ଖର୍ଚ୍ଚ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
