ଧାମନଗର: ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତା ୬ ତାରିଖରେ ଜଣାପଡ଼ିବ କିଏ ପିନ୍ଧିବ ଧାମନଗର ମୁକୁଟ । ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଗତକାଲି ଶାନ୍ତି ଶୃଙ୍ଖଳାରେ ମତଦାନ ସରିଛି । ମୋଟ୍ 69 ଦଶମିକ 04 ପ୍ରତିଶତ ଭୋଟିଂ ହୋଇଥିବା ଜିଲ୍ଲା ପ୍ରଶାସନ କହିଛି ।
85 ହଜାର ମହିଳା ଭୋଟ ଦେଇଥିବା ବେଳେ, 78 ହଜାର ପୁରୁଷ ଭୋଟ ଦେଇଛନ୍ତି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଷ୍ଟ୍ରଙ୍ଗ ରୁମ କରାଯାଇଛି । ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ ରଖାଯାଇଛି ।
ସିଆରପିଏଫର ଗୋଟିଏ ପ୍ଲାଟୁନ ଫୋର୍ସ ଇନର କର୍ଡନ ଜଗିଥିବା ବେଳେ ମିଡିଲ କର୍ଡନକୁ ଜଗିଛନ୍ତି ଷ୍ଟେଟ ଆର୍ମଡ୍ ଫୋର୍ସ । ସେହିପରି ବାହ୍ୟ ବଳୟରେ ରହିଛନ୍ତି ଜିଲ୍ଲା ପୋଲିସର ଏକ ପ୍ଲାଟୁନ୍ ଫୋର୍ସ । ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦରୋ । ୨୦୧୯ ସାଧାରଣ ନିର୍ବାଚନରେ ୭୨ ଦଶମିକ ୦୧ ପ୍ରତିଶତ ଭୋଟିଂ ହୋଇଥିଲା । ହେଲେ ଚଳିତ ବର୍ଷ ତାଠୁ ଅଳ୍ପ ପ୍ରତିଶତ ଭୋଟିଂ ହେଇଛି ।

