ନନ୍ଦିଘୋଷ ବ୍ୟୁରୋ : ଆସାମର ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଜୁବିନଙ୍କ ବନ୍ଧୁ ଶେଖର ଜ୍ୟୋତି ଗୋସ୍ଵାମୀ ଓ ଅମ୍ରିତପ୍ରଭା ମହନ୍ତ। ଜୁବିନଙ୍କ ବ୍ୟାଣ୍ଡରେ କାମ କରୁଥିଲେ ଉଭୟେ। ଅମ୍ରିତପ୍ରଭା ନିଜେ ଜଣେ କଣ୍ଠଶିଳ୍ପୀ। ଏମାନଙ୍କୁ ମିଶାଇ ଏହି ଘଟଣାରେ ଆସାମ ପୋଲିସ ଏସଆଇଟି ୪ ଜଣଙ୍କୁ ଗିରଫ କଲାଣି। ଜୁବିନଙ୍କ ମୃତ୍ୟୁ ସମୟରେ ଉଭୟ ଶେଖର ଓ ଅମ୍ରିତପ୍ରଭା ତାଙ୍କ ସାଙ୍ଗରେ ଥିଲେ। ଜୁବିନଙ୍କ ସହିତ ଶେଖର ଏକା ସାଙ୍ଗରେ ପହଁରୁଥିଲେ। ସେପଟେ ଅମ୍ରିତପ୍ରଭା ନିଜ ମୋବାଇଲରେ ପୁରା ଘଟଣାର ସୁଟିଂ କରିଛନ୍ତି।
୬ ଘଣ୍ଟା ଧରି ପଚରା ଉଚରା କରିବା ପରେ ଉଭୟଙ୍କୁ ଗିରଫ କରିଛି ଏସଆଇଟି। କୋର୍ଟ ଉଭୟଙ୍କୁ ୧୪ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ଆଗରୁ ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଓ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ ମ୍ୟାନେଜର ଶ୍ୟାମକାନୁ ମହନ୍ତଙ୍କୁ ବି ଗିରଫ କରାଯାଇଛି। ଏସଆଇଟି ଏବେ ସମସ୍ତଙ୍କୁ ଏକା ସାଙ୍ଗରେ ମୁହାଁମୁହିଁ ଜେରା କରିବ ବୋଲି ଜଣାପଡ଼ିଛି। ଏସଆଇଟି ତଦନ୍ତ ପାଇଁ ସିଙ୍ଗାପୁର ମଧ୍ୟ ଯିବ ବୋଲି ଜଣାପଡ଼ିଛି। ସେପଟେ ଜୁବିନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଭାରତୀୟ ଦୂତାବାସକୁ ଏହି ରିପୋର୍ଟ ଦିଆଯାଇଛି। ଏହି ପୋଷ୍ଟମର୍ଟମ ରିପୋର୍ଟକୁ ଆସାମ ପୋଲିସକୁ ହସ୍ତାନ୍ତର କରାଯିବ। ଏହା ପରେ ଜୁବିନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। ସିଙ୍ଗାପୁରକୁ ନଷ୍ଟ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲକୁ ଯାଇଥିବା ବେଳେ ଜୁବିନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଗତ ସେପଟେମ୍ଵର ୧୯ ରେ ଏହି ଘଟଣା ଘଟିଥିଲା। ସମୁଦ୍ରରେ ପହଁରିବାକୁ ଯାଇଥିବା ବେଳେ ପାଣିରୁ ଉଦ୍ଧାର ହୋଇଥିଲା ଜୁବିନଙ୍କ ମୃତଦେହ।

