ହଟିବ ମିଜୋ ନ୍ୟାସନାଲ ଫ୍ରଣ୍ଟ ଶାସନ, ହାରିଗଲେ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା

ଆଇଜଲ: ବଦଳିବେ ମିଜୋରାମ ସରକାର । ହଟିବ ମିଜୋ ନ୍ୟାସନାଲ ଫ୍ରଣ୍ଟ ଶାସନ । ୬ ଦଳକୁ ନେଇ ଗଠିତ ଜୋରାମ ପିପୁଲସ ମୁଭମେଣ୍ଟ କରିବ ସରକାର ଗଠନ କରିବାକୁ ଯାଉଛି । ଜେଡପିଏମ ମୁଖ୍ୟ ଲାଲ ଦୁହୋମା ସରକାର ଗଠନ କରିବାକୁ ଦାବି କରିବେ । ଲାଲ ଦୁହୋମା ଜଣେ ପୂର୍ବତନ ଆଇପିଏସ ଏବଂ ସେ ୧୯୮୪ରେ ମିଜୋରାମରୁ ସାଂସଦ ହୋଇଥିଲେ ।

୪୦ ଆସନ ବିଶିଷ୍ଟ ମିଜୋରାମରେ ଜେଡପିଏମ ୨୭ଟି ଆସନ ଲାଭ କରିଥିବାବେଳେ ଶାସକ ଏମଏନଏଫ ୧୦ଟି ଆସନ ହାସଲ କରିଛି । ବିଜେପି ୨ଟି ଆସନ ଓ କଂଗ୍ରେସ ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛନ୍ତି । ସବୁଠାରୁ ବଡ଼କଥା ହେଲା ଏମଏନଏଫ ନେତା ତଥା ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଓ ଡେପୁଟୀ ସିଏମ ତାନଲୁଅଆ ପରାସ୍ତ ହୋଇଛନ୍ତି ।

ଗତ ୨୦୧୮ ନିର୍ବାଚନରେ ଏମଏନଏଫ ୨୬ ଆସନ ଜିତିଥିବାବେଳେ ଜେଡପିଏମ ୮ଟି ଆସନ ଲାଭ କରିଥିଲେ । କଂଗ୍ରେସ ୫ଟି ଓ ବିଜେପି ଗୋଟିଏ ଆସନ ଲାଭ କରିଥିଲା । ଚୀନ, କୁକି ଓ ଜୋ ସମ୍ପ୍ରଦାୟର ଏକକ ନେତା ବୋଲି ଦାବି କରିଆସୁଥିବା ଜୋରମଥାଙ୍ଗାଙ୍କ ସ୍ବପ୍ନ ଚୂରମାର ହୋଇଛି । ପଡୋଶୀ ମ୍ୟାମାରରୁ ଚାଲିଆସିଥିବା ୪୦ ହଜାର ଶରଣାର୍ଥୀଙ୍କୁ ସ୍ଥାନ ଦେଇ ବିବାଦ ଘେରକୁ ଚାଲିଆସିଥିଲେ ଜୋରମଥାଙ୍ଗା । ମିଜୋରାମରେ ଏମ୍ଏନ୍ଏଫ, ଜେଡପିଏମ୍ ଓ କଂଗ୍ରେସ ୪୦ଟି ଲେଖାଏଁ ଆସନରେ ଲଢିଥିଲେ । ବିଜେପି ୧୩ଟି ଆସନରେ ପ୍ରାର୍ଥୀ ଛିଡା କରିଥିଲା । ସେହିପରି ପ୍ରଥମ ଥର ଆପ୍ ୪ଟି ଆସନରେ ପ୍ରାର୍ଥୀ ଛିଡା କରିଥିଲା । ଏହା ସହ ୧୭ ଜଣ ନିର୍ଦଳୀୟ ପ୍ରାର୍ଥୀ ମଇଦାନରେ ଥିଲେ ।