ଜୋମାଟୋ କୁ ମିଳିଛି ୪୦୧.୭ କୋଟିର ଟ୍ୟାକ୍ସ ଫାଙ୍କିବା ନୋଟିସ୍
1 min readନୂଆଦିଲ୍ଲୀ: ଟ୍ୟାକ୍ସ ଫାଙ୍କୁଛି ଜୋମାଟୋ । ଦେଶର ଲୋକପ୍ରିୟ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ନାଁରେ ଆସିଛି ଏକ ସାଙ୍ଘାତିକ ଅଭିଯୋଗ । ଜୋମାଟୋ ୪୦୧.୭ କୋଟି ଟଙ୍କାର ଟ୍ୟାକ୍ସ ଦେଇନଥିବା ଅଭିଯୋଗ ହୋଇଛି । ଜିଏସଟି ଇଣ୍ଟଲିଜେନ୍ସି ର ମହାନିର୍ଦେଶାଳୟ ଜୋମାଟୋ ଏବଂ ସ୍ବିଗିକୁ ଡେଲିଭରୀ ଚାର୍ଜରେ ଜିଏସଟି ଫାଙ୍କିଥିବା ନେଇ ନୋଟିସ୍ ପଠେଇଛି । ଏହି ନୋଟିସ୍ ରେ କୁହାଯାଇଛି ଯେ, ଡେଲିଭରୀ ଚାର୍ଜ ସେବା ବିଭାଗର ଅର୍ନ୍ତଭୁକ୍ତ । ଏହା ଉପରେ ଏହି ସବୁ କମ୍ପାନୀ ୧୮ ପ୍ରତିଶତ ଜିଏସଟି ଦେବା ବାଧ୍ୟତାମୂଳକ । ଆଉ ମଧ୍ୟ ଜିଏସଟି ଇଣ୍ଟଲିଜେନ୍ସି ର ମହାନିର୍ଦେଶାଳୟ (DGGI) ଦ୍ବାରା ଜୋମାଟୋ କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି । କାରଣ ଦର୍ଶାଅ ନୋଟିସ୍ ର ଉତ୍ତର ଦେବାକୁ ଯାଇ ଜୋମାଟୋ କହିଛି ଯେ, ସେ କୌଣସି ଟ୍ୟାକ୍ସ ଦେବାକୁ ଉତ୍ତରଦାୟୀ ନୁହେଁ । ଏହା ଛଡା ପରସ୍ପର ସହମତିରେ ଚୁକ୍ତିନାମାର ନିୟମ ଏବଂ ସର୍ତାବଳୀ ଅନୁସାରେ , ଫୁଡ୍ ଡେଲଭରୀ କମ୍ପାନୀ କହିଛି ଯେ, ଡେଲିଭରୀ ପାର୍ଟନର ମାନେ ଗ୍ରାହକ ମାନଙ୍କୁ ଖାଇବା ଡେଲିଭରୀ କରିଥାନ୍ତି । କମ୍ପାନୀ ଡେଲିଭରୀ କରିନଥାଏ । ଜୋମାଟା ଏହା ମଧ୍ୟ କହିଛି ଯେ ଆମର ଏକ୍ସଟରନାଲ୍ ଲିଗାଲ୍ ଏବଂ ଟ୍ୟାକ୍ସ ଏକ୍ସପର୍ଟସ୍ ମାନଙ୍କ ରାୟ ବି ଜୋମାଟୋର ରାୟ ସହ ମିଶୁଛି । ଏବଂ କାରଣ ଦର୍ଶାଅ ନୋଟିସ୍ ର ଉଚିତ୍ ଉତ୍ତର ରଖିବ ବୋଲି ଜୋମାଟା କହିଛି ।
ସୂଚନା ଅନୁସାରେ , ଟ୍ୟାକ୍ସି ଅଥରିଟି ଜୋମାଟୋ କୁ ଅକ୍ଟୋବର ୨୦୧୯ରୁ ଜାନୁୟାରୀ ୨୦୨୨ ଯାଏଁ ଟ୍ୟାକ୍ସ ନଦେଇଥିବାରୁ ଜୋରିମାନା , ସୁଧ ସହ ସମସ୍ତ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାନୁୟାରୀ ୨୦୨୨ ରେ ଜିଏସଟି ପରିଷଦ ଫୁଡ୍ ଡେଲିଭରୀ ସର୍ଭିସ୍ ପାଇଁ ୫ ପ୍ରତିଶତ ଟ୍ୟାକ୍ସର ଘୋଷଣା କରିଛନ୍ତି । ଏବଂ ରେଷ୍ଟୋରାଣ୍ଟ ସର୍ଭିସ୍ କୁ ଜିଏସଟିରେ ଅର୍ନ୍ତଭୁକ୍ତ କରାଯାଇଛି ।