ଓଡ଼ିଶାର ସୁପର-୧୯: ଅଜୟଙ୍କ ୧୯ ରୁ ୧୯ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷାରେ ହେଲେ ସଫଳ

ଭୁବନେଶ୍ୱର: ଓଡ଼ିଶାରେ ସୁପର ୩୦ର ରିପିଟ୍‌ । କଥାଟା ବୁଝାପଡ଼ିଲାନି ବୋଧେ । ଆପଣ ସମସ୍ତେ ହ୍ରିତିକ୍‌ ରୋଶନଙ୍କ ‘ସୁପର ୩୦’ ଫିଲ୍ମ ଦେଖିଥିବେ ନିଶ୍ଚୟ । ସେହି ଫିଲ୍ମଟି ଏକ ସତ୍ୟ କାହାଣୀକୁ ନେଇ ଆଧାରିତ । ବିହାରର ଜଣେ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କଥାକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଥିଲା । ତେବେ ଠିକ୍‌ ସେହିଭଳି, ଓଡ଼ିଶାର ଜଣେ ଆନନ୍ଦ କୁମାର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଫିଲ୍ମରେ ହ୍ରିତିକ୍‌ ରୋଶନ ଯେଭଳି ଟଙ୍କା ଅଭାବରୁ ନିଜ ସ୍ୱପ୍ନ ସାକାର କରିପାରି ନଥିଲେ । ଆଉ ତାପରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଆଇଆଇଟି ସ୍ୱପ୍ନ ସାକାର କରିବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ସେମାନଙ୍କୁ ମାଗଣା ପାଠପଢ଼ା ସହ ରହିବା ଖାଇବାର ସୁବିଧା ଯୋଗାଇଥିଲେ । ଠିକ୍‌ ସେହିଭଳି ଓଡ଼ିଶାର ଅଜୟ ବାହାଦୁର ସିଂହ, ଗରୀବ ମେଧାବୀ ଛାତ୍ରଛାତ୍ରୀ ଯେଉଁମାନେ ଡାକ୍ତରୀ ପଢ଼ିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ସ୍ୱପ୍ନ ସାକାର କରିବା ପାଇଁ ଜିନ୍ଦିଗୀ ଫାଉଣ୍ଡେସନ୍‌ ଆରମ୍ଭ କରିଛନ୍ତି । ଏଥିରେ ସେ ମାଗଣା ପାଠ ପଢ଼ା ସହ ରହିବା ଓ ଖଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ଗତ ଶୁକ୍ରବାର ନିଟ୍‌ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ଜିନ୍ଦିଗୀ ଫାଉଣ୍ଡେସନ୍‌ର ଗୋଟିଏ ବ୍ୟାଚ୍‌ର ୧୯ରୁ ୧୯ ଜଣ କ୍ୱାଲିଫାଏ ହୋଇଛନ୍ତି । ୨୦୧୭ରୁ ଏହି ଫାଉଣ୍ଡେସନ ଆରମ୍ଭ କରିଛନ୍ତି ଅଜୟ ବାହାଦୂର ସିଂହ । ୨୦୧୮ରେ ତାଙ୍କର ୧୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨ ଜଣ ନିଟ୍‌ କ୍ୱାଲିଫାଏ କରିଥିଲେ । ଆଉ ସମସ୍ତେ ସରକାରୀ ଡାକ୍ତରୀ ସିଟ୍‌ ମଧ୍ୟ ଆକ୍ତିଆର କରିଥିଲେ ।

ତେବେ ଅଜୟଙ୍କ ଏଭଳି ମନୋଭାବ ପଛରେ ଏକ ଦୁଃଖଦ କାହାଣୀ ରହିଛି । ସୁପର ୩୦ରେ ଯେଭଳି ଟଙ୍କା ଅଭାବରୁ ଆନନ୍ଦ କୁମାର ନିଜ ସ୍ୱପ୍ନ ସାକାର କରିପାରି ନଥିଲେ, ଠିକ୍‌ ସେହି ଭଳି ଅଜୟ ମଧ୍ୟ ଟଙ୍କା ଅଭାବରୁ ନିଜର ଡାକ୍ତରୀ ପାଠ ପଢ଼ିବାର ସ୍ୱପ୍ନ ସାକାର କରିପାରି ନଥିଲେ । ତେଣୁ ସେ କେବେ ବି ଚାହାନ୍ତି ନାହିଁ ଯେ, ଟଙ୍କା ଅଭାବରୁ କୌଣସି ମେଧାବୀ ଛାତ୍ରଛାତ୍ରୀଙ୍କ ଡାକ୍ତରୀ ପଢ଼ିବାର ସ୍ୱପ୍ନ ଭାଙ୍ଗିଯାଉ ।

ଏହି ଫାଉଣ୍ଡେସନରେ ପରିବା ବ୍ୟବସାୟୀ, ଦିନ ମଜୁରିଆ, ମାଛ ଧରାଳି, ସାଇକେଲରେ ବୁଲି ବୁଲି ଇଡ୍‌ଲି ସାମ୍ବର ବିକ୍ରି କରୁଥିବା ବା ଟ୍ରକ୍‌ ଡ୍ରାଇଭରର ପିଲାମାନେ ପାଠ ପଢ଼ନ୍ତି । ୨୦୨୦ ବ୍ୟାଚ୍‌ର ଏହି ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଭାବ ଅନଟନ ନା କରୋନା ମହାମାରୀ କେହି ରୋକିପାରି ନାହାନ୍ତି । ଦିନରାତି ଅହରହ ପରିଶ୍ରମ କରି ସେମାନେ ନିଟ୍‌ କ୍ୱାଲିପାଏ କରିଛନ୍ତି । ସେମାନଙ୍କୁ ସହଯୋଗ କରିଛନ୍ତି ଅୟଜ ବାହାଦୂର ସିଂହ ।

ଏହି ୧୯ ଜଣଙ୍କ ମଧ୍ୟରୁ ଅନୁଗୁଳର ଖିରୋଦିନୀ ସାହୁ କହିଛନ୍ତି, ତାଙ୍କ ବାପା ଏକ ଫାର୍ମରେ ଶ୍ରମିକ ଭାବେ କାମ କରୁଥିଲେ । ଲକ୍‌ଡାଉନ୍‌ ଯୋଗୁଁ ତାଙ୍କର ଚାକିରି ଚାଲିଯାଇଥିଲା । ପରିବାର ଚଳାଇବା ତାଙ୍କ ପାଇଁ ଅତ୍ୟନ୍ତ କାଠିକର ହୋଇପଡ଼ିଥିଲା । ଆଉ ଠିକ୍‌ ସେହି ଲକ୍‌ଡାଉନ୍‌ ସମୟରେ ବୋଝ ଉପରେ ନଳିତା ବିଡ଼ା ଭଳି ଖିରୋଦିନୀ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ଆଉ ସେଠି ପହଞ୍ଚିବା ପରେ ସେ ଅଜୟ ସାର୍‌ଙ୍କୁ ସବୁ କଥା କହିଥିଲେ । ତାପରେ ଅଜୟ, ଖିରୋଦିନୀଙ୍କୁ ନିଜ ଘରକୁ ନେଇ ତାଙ୍କର ସେବାସୁଶୃଶା କରିଥିଲେ । ଖିରୋଦିନୀଙ୍କର ଯାହା ଆବଶ୍ୟକ ଥିଲା ସବୁ ଯୋଗାଇଥିଲେ । ସେହି ଖିରୋଦିନୀ ନିଟ୍‌ ପରୀକ୍ଷାରେ ଅଲ୍‌ ଇଣ୍ଡିଆରେ ୨୫୯୪ ରାଙ୍କ ପାଇଛନ୍ତି ।

ସେହିଭଳି ସତ୍ୟଜିତ ସାହୁ ଯିଏ କି ୬୧୯ ମାର୍କ ରଖିଛନ୍ତି । ତାଙ୍କ ବାପା ସାଇକେଲରେ ବୁଲିବୁଲି ପରିବା ବିକନ୍ତି । ସେଥିରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କର ପରିବାର ଚଳେ । ସେହିଭଳି ଆଉ ଜଣେ ହେଉଛନ୍ତି ଶୁଭେନ୍ଦୁ ପରିଡ଼ା । ଯିଏ କି ତାଙ୍କ ବାପାଙ୍କ ସହ ଇଡ୍‌ଲି ସାମ୍ବର ବିକ୍ରି କରନ୍ତି । ସେ ନିଟ୍‌ରେ ୬୦୯ ମାର୍କ ରଖିଛନ୍ତି । ଢ଼େଙ୍କାନାଳର ନିବେଦିତା ପଣ୍ଡା, ତାଙ୍କ ବାପା ଜଣେ ପାନ ଦୋକାନୀ । ସେ ୫୯୧ ମାର୍କ ରଖିଛନ୍ତି ।

ରୋଶନ ପାଇକ୍, ତାଙ୍କ ବାପା ଜଣେ ଫର୍ମ ଲେବର । ସେହିଭଳି ମନ୍‌ଜିତ୍‌ ହେଉଛନ୍ତି ଆଉ ଜଣେ ନିଟ୍ କ୍ୱାଲିଫାୟର । ଯାହାର ବପା ଜଣେ ମାଛ ଧରାଳି । ସେହି ବ୍ୟାଚ୍‌ରେ ଆଉ ଜଣେ ଛାତ୍ର ସ୍ମୃତି ରଞ୍ଜନ ସେନାପତି, ତାଙ୍କ ବାପା ଜଣେ ଟ୍ରକ୍‌ ଡ୍ରାଇଭର । ସେ ୫୩୬ ମାର୍କ ରଖି ନିଟ୍‌ କ୍ୱାଲିଫାଏ କରିଛନ୍ତି ।

ajay-singh-bahadur

ତେବେ ଜିନ୍ଦିଗୀ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଅଜୟ ବାହାଦୂର ସିଂହ ଏଥିପାଇଁ କୌଣସି ସଂସ୍ଥା କିମ୍ବା ଅନୁଷ୍ଠାନଠାରୁ ଟଙ୍କାଟିଏ ବି ଡୋନେସନ୍‌ ନିଅନ୍ତି ନାହିଁ । ପିଲାଙ୍କ ପାଇଁ ଯାହା ବି ଖର୍ଚ୍ଚ ହୁଏ ସେ ସବୁ ନିଜ ସମ୍ବଳ ଅନୁଯାୟୀ ପ୍ରଦାନ କରିଥାନ୍ତି । କାରଣ ସେହି ପିଲାଙ୍କ ଭିତରେ ସେ ନିଜର ପିଲାଦିନକୁ ଦେଖିଥାନ୍ତି । ଆଉ ସେହି ପିଲାଙ୍କୁ ଦେଖିଲେ ତାଙ୍କ ନିଜ ପିଲା ଦିନ କଥା ମନେ ପଡ଼ିଥାଏ ।

ଦିନେ ଅଜୟ ତାଙ୍କ ଡାକ୍ତରୀ ପାଠ ପଢ଼ା ଛାଡ଼ି, ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଚା’ ଓ ସର୍ବତ ବିକ୍ରି କରିଥିଲେ । ସେ ଝାଡ଼ଖଣ୍ଡର ବାବା ବୈଦ୍ୟନାଥରେ, ପଢୁଥିବା ବିଭିନ୍ନ ମେଳା ତଥା ଯାନୀଯାତ୍ରାରେ ଚା’ ଓ ସର୍ବତ ବିକି ପରିବାରର ପ୍ରତିପୋଷଣ କରିବା ସହ ନିଜର ପାଠ ପଢ଼ା ଖର୍ଚ୍ଚ ମଧ୍ୟ ଉଠାଉଥିଲେ ।

Entrance Test

ଏହି ଜିନ୍ଦିଗୀ ଫାଉଣ୍ଡେସନ୍‌ ଅଧିନରେ ପାଠ ପଢ଼ିବା ପାଇଁ ସେ ସାରା ଓଡ଼ିଶାରୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରିଥାନ୍ତି । ଏଥିପାଇଁ ଏକ ଏଣ୍ଟ୍ରାନ୍ସ ଟେଷ୍ଟ ମଧ୍ୟ ସେ ନେଇଥାନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଏଥିରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନଙ୍କ ପାଇଁ ମାଗଣା ପାଠପଢ଼ା ସହ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଥାଏ । ସେମାନଙ୍କ ଡାକ୍ତର ହେବାର ସ୍ୱପ୍ନକୁ ଏଠି ସାକାର କରିବାକୁ ଚେଷ୍ଟା କରାଯାଇଥାଏ । ଅଜୟଙ୍କ ଏହି କାର୍ଯ୍ୟ ଓ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply