ଶାନ୍ତି ବାର୍ତ୍ତା ପୂର୍ବରୁ ଋଷରେ ଆତଙ୍କ ଖେଳାଇଲେ ଜେଲେନସ୍କି ..

ନନ୍ଦିଘୋଷ ବ୍ୟୁରୋ: ଶାନ୍ତି ସ୍ଥାପନା ପୂର୍ବରୁ ଆକ୍ରମଣ । ଗୋଟେପଟେ ଶାନ୍ତି ଆଲୋଚନା ପାଇଁ ଜେଲେନସ୍କି କଥା ହେଉଥିବା ବେଳେ ସେପଟେ ଋଷରେ ଆତଙ୍କ ଖେଳାଇଛନ୍ତି । ସାଉଦି ଆରବରେ ରୁଷ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ ହେବାକୁ ଯାଉଛି, ଏଥିପାଇଁ ଜେଲେନସ୍କି, ଆମେରିକା ମନ୍ତ୍ରୀ ମାର୍କୋ ରୁବିଓ ଏବଂ ରୁଷ ଅଧିକାରୀମାନେ ସାଉଦି ଆରବରେ ପହଞ୍ଚିଛନ୍ତି । ଶାନ୍ତି ଆଲୋଚନା ଆରମ୍ଭ ହେବା ପୂର୍ବରୁ, ଜେଲେନସ୍କିଙ୍କ ଡ୍ରୋନ୍ ସେନା ରୁଷକୁ ଥରାଇ ଦେଇଛି । ଆଜି ୟୁକ୍ରେନ ମସ୍କୋ ଉପରେ ଏକ ବଡ଼ଧରଣର ଆକ୍ରମଣ କରିଛି । ରିପୋର୍ଟ ଅନୁସାରେ, ମସ୍କୋ ଉପରେ ଏକକାଳୀନ ୭୦ଟି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ ।
ୟୁକ୍ରେନ ପ୍ରାୟ ଗୋଟିଏ ଘଣ୍ଟା ଧରି ରୁଷରେ ଲଗାତାର ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅନେକ ଆବାସିକ କୋଠାକୁ ଟାର୍ଗେଟ କରାଯାଇଛି। ରୁଷର ରାଜଧାନୀ ମସ୍କୋ ନିକଟବର୍ତ୍ତୀ ସହରଗୁଡ଼ିକରେ ମଧ୍ୟ ଅନେକ ଆକ୍ରମଣ ହୋଇଛି। ରିପୋର୍ଟ ଅନୁସାରେ, କୋଲୋମ୍ନା ଏବଂ ଡୋମୋଡେଡୋଭୋରେ ଅନେକ ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ପରେ ଆଲୋଚନା ପୂର୍ବରୁ ଜେଲେନସ୍କିଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଯାଉଛି, ପ୍ରକୃତରେ ଜେଲେନସ୍କି ଚାହୁଁଛନ୍ତି କ’ଣ ?
ୟୁକ୍ରେନର ଆକ୍ରମଣ ଜାରି
ରୁଷର ଏୟାର ଡିଫେନ୍ସ ଏପର୍ଯ୍ୟନ୍ତ ପ୍ରାୟ ୫୮ଟି ଡ୍ରୋନକୁ ନଷ୍ଟ କରିସାରିଛି। ତେବେ ମଧ୍ୟ ୟୁକ୍ରେନରେ ଆକ୍ରମଣ ଜାରି ରହିଛି, ଏହି ଆକ୍ରମଣ ଯୋଗୁଁ ମସ୍କୋ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି ଏବଂ ଅନେକ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଆକ୍ରମଣରେ ମୃତାହତଙ୍କ ବିଷୟରେ ଏପର୍ଯ୍ୟନ୍ତ ସୂଚନା ଦିଆଯାଇ ନାହିଁ । କିନ୍ତୁ ଏହି ଆକ୍ରମଣ ଜେଦ୍ଦାରେ ହେଉଥିବା ଶାନ୍ତି ଆଲୋଚନାକୁ ପ୍ରଭାବିତ କରିପାରେ ବୋଲି ଆଶା ବ୍ୟକ୍ତ କରାଯାଉଛି ।
ୟୁକ୍ରେନ ଯୁଦ୍ଧର ନିର୍ଣ୍ଣାୟକ ଦିନ
ରୁଷ ଏବଂ ୟଚକ୍ରେନ ମଧ୍ୟରେ ଯୁଦ୍ଧ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଛି, ଏବଂ ଆମେରିକୀୟ, ୟୁକ୍ରେନୀୟ ଏବଂ ରୁଷୀୟ ଅଧିକାରୀମାନେ ଆଜି ସାଉଦି ଆରବରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଏକ ଯୁଦ୍ଧବିରତି ଚୁକ୍ତିନାମା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି। ତେବେ ଆମେରିକା ଏବଂ ରୁଷ ଅଧିକାରୀମାନେ ପୂର୍ବରୁ ଶାନ୍ତି ସମ୍ପର୍କରେ ଆଲୋଚନା କରିବା ପାଇଁ ସାକ୍ଷାତ କରିଛନ୍ତି, କିନ୍ତୁ ରାଷ୍ଟ୍ରପତି ଜେଲେନସ୍କି ନିଜେ ସାଉଦି ଆରବରେ ଉପସ୍ଥିତ ଥିବାରୁ ଏହି ଆଲୋଚନାକୁ ନିର୍ଣ୍ଣାୟକ ବୋଲି ବିବେଚନା କରାଯାଉଛି ।
ଯୁବରାଜଙ୍କୁ ପ୍ରଶଂସା
ୟୁକ୍ରେନର ରାଷ୍ଟ୍ରପତି ମଙ୍ଗଳବାର ସାଉଦି ଆରବରେ ପହଞ୍ଚିଛନ୍ତି। ତାଙ୍କୁ ମହମ୍ମଦ ବିନ୍ ସଲମାନ ସ୍ୱାଗତ କରିଥିଲେ। ଜେଦ୍ଦା ଯିବା ପୂର୍ବରୁ, ଜେଲେନସ୍କି ଶାନ୍ତି ଆଲୋଚନାରେ ସାଉଦି ଆରବ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ମଧ୍ୟସ୍ଥତାରେ ମହମ୍ମଦ ବିନ୍ ସଲମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।