ଋଷ ସହ ଯୁଦ୍ଧ ଭିତରେ ଦୁର୍ନୀତି ଚିନ୍ତା: ନ୍ୟାସନାଲ ଗାର୍ଡ ସିକ୍ୟୁରିଟି ଅଧିକାରୀଙ୍କୁ ହଟାଇଲେ ଜେଲେନସ୍କି

ୟୁକ୍ରେନ: ଗୋଟିଏ ପଟେ ଋଷ ୟୁକ୍ରେନକୁ ଛାରଖାର କରୁଥିବା ବେଳେ ଆଉ ଗୋଟେ ପଟେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଘାରିଛି ଦୁର୍ନୀତି ଚିନ୍ତା । ଗୋଟିଏ ପରେ ଗୋଟିଏ ଦୁର୍ନୀତି ଅଭିଯୋଗ ଜେଲେନସ୍କିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏପରିକି ଋଷ ବିରୋଧରେ ଯୁଦ୍ଧ ଲଢ଼ିବାକୁ ୟୁକ୍ରେନକୁ ମିଳୁଥିବା ସାମରିକ ସହାୟତାରେ ବି ଦୁର୍ନୀତି ହେଉଥିବା ଅଭିଯୋଗ ରହିଛି । ଯାହାକୁ ନେଇ ଜେଲେନସ୍କି ଖଡ୍ଗହସ୍ତ । ଏହି କ୍ରମରେ ଯୁଦ୍ଧ ଭିତରେ ଦୁର୍ନୀତି ଅଭିଯୋଗରେ ୟୁକ୍ରେନ ନ୍ୟାସନାଲ ଗାର୍ଡ ସିକ୍ୟୁରିଟି ଅଧିକାରୀଙ୍କୁ ହଟାଇଛନ୍ତି ଜେଲେନସ୍କି ।

ନ୍ୟାସନାଲ ଗାର୍ଡର ଡେପୁଟୀ କମାଣ୍ଡର ରୁସଲାନ ଦିଉବାଙ୍କୁ ହଟାଇ ଦିଆଯାଇଛି । ସରକାରକୁ ଦୁର୍ନୀତିମୁକ୍ତ କରିବା ସକାଶେ ଚାଲିଥିବା ଅଭିଯାନ କ୍ରମେ ଏହି ପଦକ୍ଷେପ ନେଇଛନ୍ତି ଜେଲେନସ୍କି । ଗତ କିଛିଦିନ ଧରି ଚାଲିଥିବା ଦୁର୍ନୀତି ବିରୋଧୀ ଅଭିଯାନ କ୍ରମେ ଏନଏସଜି ଅଧିକାରୀଙ୍କୁ ବିଦା ହେବାକୁ ପଡିଛି ।

ୟୁରୋପୀୟ ୟୁନିଅନ ପକ୍ଷରୁ କୁହାଯାଇଛି ୨୭ ରାଷ୍ଟ୍ର ସଦସ୍ୟ ବିଶିଷ୍ଟ ୟୁରୋପୀୟ ୟୁନିଅନର ସଦସ୍ୟ ହେବା ଲାଗି ଦୁର୍ନୀତିମୁକ୍ତ ଅଭିଯାନ ଏକ ସର୍ତ୍ତ ରହିଥିବାରୁ ୟୁକ୍ରେନ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଛି । ବିଶେଷ କରି ପ୍ରତିରକ୍ଷା ବିଭାଗକୁ ଦୁର୍ନୀତିମୁକ୍ତ କରିବାକୁ ଲାଗି ପଡ଼ିଛନ୍ତି ଜେଲେନସ୍କି । ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଓଲେକସି ରେଜନିକୋଭଙ୍କୁ ହଟାଇବା ଲାଗି ଘୋଷଣା କରିଥିଲେ ଜେଲେନସ୍କି ।