ସାଂଘାତିକ ଅଭିଯୋଗ ଆଣିଲେ ୟୁକ୍ରେନ ରାଷ୍ଟ୍ରପତି, କହିଲେ ପୂରା ସହରକୁ ପାଉଁଶ କରିଛି ମସ୍କୋ  

କିଭ୍: ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ପୂରିଛି ୯୩ ଦିନ । ଭୟଙ୍କର ଯୁଦ୍ଧରେ ଛାରଖାର ହୋଇଛି ୟୁକ୍ରେନର ଅଧିକାଂଶ ସହର । ପୂର୍ବ ୟୁକ୍ରେନର ଡୋନବାସ୍ ରିଜିଅନକୁ ଅକ୍ତିଆର କରିବାକୁ ଯୁଦ୍ଧକୁ ଜୋରଦାର କରିଛି ମସ୍କୋ । ବୁଚା, ମାରିୟୁପୋଲ ଭଳି ଡୋନବାସରେ ବି ନରସଂହାର ରଚିଛି ଋଷ ସେନା । ପୁରା ସହରକୁ ଋଷ ପାଉଁଶରେ ପରିଣତ କରିଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି । ଖାରକିଭର ଗଳିକନ୍ଦିରେ ବି ଜୋରଦାର ଯୁଦ୍ଧ ଜାରି ରଖିଛି ଋଷ ।

ସେପଟେ ମସ୍କୋ ବିରୋଧରେ ଦୃଢ଼ ପ୍ରତିବନ୍ଧକ ଲଗାଇ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ କରିବା ପାଇଁ ପଶ୍ଚିମୀ ଦେଶଗୁଡ଼ିକୁ ଅପିଲ କରିଛନ୍ତି ଜେଲେନସ୍କି । ୟୁକ୍ରେନ ସବୁ ବେଳେ ସ୍ୱୟଂଶାସିତ, ସ୍ୱାଧୀନ ଥିଲା । ଆଗକୁ ମଧ୍ୟ ରହିବ । ତେବେ ସ୍ୱାଧୀନତା ପାଇଁ ୟୁକ୍ରେନବାସୀଙ୍କୁ ଅନେକ ବଳିଦାନ ଦେବାକୁ ପଡୁଛି । ଋଷର ମୂର୍ଖତା କାରଣରୁ ୟୁକ୍ରେନବାସୀ ଭୟଙ୍କର ସ୍ଥିତିର ସାମ୍ନା କରୁଛନ୍ତି ବୋଲି ଜେଲେନସ୍କି କହିଛନ୍ତି ।

ଅନ୍ୟପଟେ ଯୁଦ୍ଧର ଭୟାବହତାକୁ ନେଇ ଆଶଙ୍କା ବ୍ୟକ୍ତ କରିଛି ବିଶ୍ୱ ବ୍ୟାଙ୍କ । ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଘମାଘୋଟ ସଂଘର୍ଷ ଜାରି ରହିଥିଲେ ବି ଏହା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରୁନି । ଆଗାମୀ ଦିନରେ ଖାଦ୍ୟ, ଶକ୍ତି, ସାର ଆଦିର ଦରବୃଦ୍ଧି ବିଶ୍ୱକୁ   ଭୟଙ୍କର ମାନ୍ଦାବସ୍ଥା ଆଡ଼କୁ ଟାଣି ନେବ ବୋଲି ବିଶ୍ୱବ୍ୟାଙ୍କ କହିଛି ।