ରଣବୀର ଘରେ ପଶିଲା ମୁମ୍ବାଇ ପୋଲିସ, ସାଇବର ସେଲରେ ମାମଲା

1 min read

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ଫସିଥିବା ୟୁଟ୍ୟୁବର ରଣବୀର ଆଲାହାବାଦିଆଙ୍କ ବଢ଼ିଲା ଅଡୁଆ । ତାଙ୍କ ଘରେ ମୁମ୍ବାଇ ପୋଲିସ ଛାନବିନ କରିଥିବାବେଳେ ମହାରାଷ୍ଟ୍ର ସାଇବର ସେଲ ପକ୍ଷରୁ ରୁଜୁ ହୋଇଛି ମାମଲା । ରଣବୀରଙ୍କ ସମେତ ୪୦ ଜଣଙ୍କ ବିରୋଧରେ ମାମଲା ଦାୟର ହୋଇଛି । ତେଣେ ଆଲାହାବାଦିଆଙ୍କ ବିବାଦୀୟ ଭିଡିଓ ହଟାଇଛି ୟୁଟ୍ୟୁବ ।

ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ସର୍ବଭାରତୀୟ ସିନେ ୱାର୍କର୍ସ ଆସୋସିଏସନ ବା ଏଆଇସିଡବ୍ଲୁଏ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବକୁ ନୋଟିସ ପଠାଇ ଏହି ଭିଡିଓକୁ ହଟାଇବାକୁ କହିଥିଲେ । ଯାହା ପରେ ୟୁଟ୍ୟୁବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିବାଦୀୟ ଭିଡିଓକୁ ହଟାଇ ଦେଇଛି । ଜାତୀୟ ମାନବାଧିକାର କମିଶନ ସଦସ୍ୟ ପ୍ରିୟଙ୍କା କାନୁନଗୋ ମଧ୍ୟ ଭିଡିଓଟିକୁ ହଟାଇବାକୁ କହିଥିଲେ ।

ସୋମବାର ଦିନ ସମାଲୋଚନାର ସମ୍ମୁଖୀନ ହେବା ପରେ, ୟୁଟ୍ୟୁବର କ୍ଷମା ପ୍ରାର୍ଥନା କରିଥିଲେ । ତାଙ୍କ ବିରୋଧରେ ଆସାମ ପୋଲିସ ମାମଲା ରୁଜୁ ପରେ ବାଧ୍ୟ ହୋଇ କ୍ଷମା ମାଗିଥିଲେ ରଣବୀର । ଆଲ୍ଲାହାବାଦିଆଙ୍କ ବିରୋଧରେ ମାମଲା ରୁଜୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟ୍ କରି ସୂଚନା ଦେଇଥିଲେ । ଆଲ୍ଲାହାବାଦିଆଙ୍କ ସହିତ, ଆଶିଷ ଚଞ୍ଚଲାନି, ଜସପ୍ରୀତ ସିଂହ, ଅପୂର୍ବ ମଖିଜା, ସମୟ ରୈନା ଏବଂ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି ।

ଆସାମ ପୋଲିସ ଷ୍ଟାଣ୍ଡ-ଅପ୍ କମେଡିଆନ ସମୟ ରୈନାଙ୍କ ଶୋ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏକ ସାମ୍ପ୍ରତିକ ଏପିସୋଡ୍‌ରେ ‘ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିବା ଏବଂ ଅଶ୍ଳୀଳ ଆଲୋଚନାରେ ଲିପ୍ତ ରହିବା’ ଅଭିଯୋଗରେ ୟୁଟ୍ୟୁବର ଆଲ୍ଲାହାବାଦିଆ ଏବଂ ହାସ୍ୟ ଅଭିନେତା ସମୟ ରୈନାଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ୟୁଟୁବର ଏବଂ ଆଶିଷ ଚଞ୍ଚଲାନି, ଜସପ୍ରୀତ ସିଂହ, ଅପୂର୍ବ ମାଖିଜା ଏବଂ ଅନ୍ୟମାନଙ୍କ ନାଁ ମଧ୍ୟ FIR ରେ ରଖାଯାଇଛି । ସମସ୍ତେ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗ ରହିଛି । ଜାତୀୟ ମାନବାଧିକାର କମିଶନ ମଧ୍ୟ ରଣବୀର ଆଲ୍ଲାହାବାଦିଆଙ୍କ ମନ୍ତବ୍ୟକୁ ନେଇ ୟୁଟ୍ୟୁବକୁ ଏକ ଚିଠି ଲେଖିଛନ୍ତି । ଏବେ ନୋଟିସ୍ ଜାରି କରିଛି ମାନବାଧିକାର କମିଶନ ।