ପାକିସ୍ତାନକୁ ଭାରତର ଗୁପ୍ତ ତଥ୍ୟ ଦେଇଥିଲା ଗଜଲା

ନନ୍ଦିଘୋଷ ବ୍ୟୁରୋ :  ପଦାକୁ ଆସୁଛି ସୋସିଆଲ ମିଡିଆ ଜରିଆରେ ଗୁପ୍ତଚର କାର୍ଯ୍ୟକଳାପର ଚିଠା । ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣି ଜ୍ୟୋତି ମାଲହୋତ୍ରାଙ୍କ ସମେତ ୧୧ ଅଭିଯୁକ୍ତ । ସୋସିଆଲ ମଡିଆ, ଆର୍ଥିକ ଲୋଭ, ମିଥ୍ୟା ପ୍ରତିଶ୍ରୁତି, ମେସେଜିଂ ଆପ୍, ପାକିସ୍ତାନ ଗସ୍ତ ଆଦି ଜରିଆରେ ଚାଲିଥିଲା ଗୁପ୍ତଚରୀ । ବିଶେଷ କରି ୨୦ରୁ ୩୦ ବର୍ଷ ବୟସ୍କଙ୍କୁ ଏଥିରେ ସାମିଲ କରାଯାଇଥିଲା । ଗିରଫଙ୍କ ମଧ୍ୟରେ ଅଛି ୩୨ ବର୍ଷ ବୟସ୍କା ଗଜଲା । ସେ ଜଣେ ବିଧବା । ପାକିସ୍ତାନକୁ ଅନେକ ସୂଚନା ଦେଇଥିଲା ଗଜଲା । ଅନ୍ୟଜଣେ ହେଉଛି ୟମିନ ମହମ୍ମଦ । ତା ଘର ପଞ୍ଜାବର ମାଲେକୋଟଲା । ଗଜଲା ଓ ୟମିନଙ୍କ ଲାଗି ଭିସା ଯୋଗାଡ କରିଥିଲେ ଡାନିସ । ଅନ୍ୟ ଜଣେ ହେଉଛି ୨୫ ବର୍ଷ ବୟସ୍କ ରାଜନୀତି ବିଜ୍ଞାନ ଛାତ୍ର ଦେବେନ୍ଦ୍ର ସିଂ । ଦେବେନ୍ଦ୍ର ପଞ୍ଜାବ ପଟିଆଲାର ଖାଲସା କଲେଜର ଛାତ୍ର । ସେ ଆଇଏସଆଇ ଏଜେଣ୍ଟକୁ ପଟିିଆଲା ମିଲିଟାରୀ କାଣ୍ଟୋନମେଣ୍ଟର ଫଟୋ ସେୟାର କରିଥିଲା । ଦେବେନ୍ଦ୍ର ଗତବର୍ଷ ନଭେମ୍ବରରେ ପାକିସ୍ତାନ ଯାଇଥିଲା । ସେହିପରି ଅନ୍ୟ ଜଣେ ଗିରଫ ଅଭିଯୁକ୍ତ ହେଉଛି ୨୬ ବର୍ଷ ବୟସ୍କ ଅରମାନ । ଅରମାନର ଘର ହରିୟାଣା ନୁହରେ । ଅରମାନ ଆର୍ମି ଓ ସାମରିକ ବିଭାଗ ସମ୍ପର୍କରେ ସୂଚନା ସେୟାର କରୁଥିଲା । ଗୁପ୍ତଚର ବୃତ୍ତି ଅଭିଯୋଗରେ ଗିରଫ ହୋଇଛି ହରିୟାଣା ନୁହର ତରିଫ । ପାକିସ୍ତାନ ଦୂତାବାସର ଦୁଇ କର୍ମଚାରୀଙ୍କ ସହ ତରିଫର ସମ୍ପର୍କ ଥିଲା । ତରିଫ ବହୁବାର ପାକିସ୍ତାନ ଯାଇଥିଲା । ଗିରଫଙ୍କ ମଧ୍ୟରେ ଅଛି ୨୪ ବର୍ଷ ବୟସ୍କ ନୌମାନ ଇଲାହୀ । ଆଇଏସଆଇକୁ ଗୋପନ ସୂଚନା ଦେଉଥିଲା ଇଲାହୀ । ଉତ୍ତରପ୍ରଦେଶ କାଇରାନାର ଇଲାହୀକୁ ପାନିପଥରେ ଗିରଫ କରାଯାଇଥିଲା । ଆଇଏସଆଇ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ଗିରଫ ହୋଇଛି ମହମ୍ମଦ ମୁର୍ତାଜା ଅଲି । ନିଜେ କରିଥିବା ମୋବାଇଲ ଆପରେ ସେ ସୂଚନା ପ୍ରଦାନ କରୁଥିଲା । ସେହିପରି ଉତ୍ତରପ୍ରଦେଶ ଏଟିଏସ ଶେହଜାଦକୁ ବି ଗିରଫ କରିଛି । ଶେହଜାଦ ଆଇଏସଆଇ ସହ ସମ୍ପର୍କରେ ଥିଲା । ଶେହଜାଦ ବହୁ ଥର ପାକିସ୍ତାନ ଯାଇଥିଲା । କସମେଟିକ୍ସ, ଲୁଗା, ମସଲାର ବେଆଇନ ବାଣିଜ୍ୟରେ ସମ୍ପୃକ୍ତ ଥିଲା ଶେହଜାଦ । ଅପରେସନ ସିନ୍ଦୂର ସମୟରେ ଗୁପ୍ତ ସୂଚନା ପ୍ରଦାନ କରୁଥିଲା ସୁଖପ୍ରୀତ ସିଂ । ଗୁରୁଦାସପୁରରୁ ଗିରଫ ହୋଇଥିଲା ସୁଖପ୍ରୀତ ସିଂ । ପଞ୍ଜାବ, ହିମାଚଳ ପ୍ରଦେଶ ଓ ଜାମୁ ଓ କାଶ୍ମୀରର ବିଭିନ୍ନ ସାମରିକ ସ୍ଥଳ ସମ୍ପର୍କରେ ସୂଚନା ଦେଇଥିଲା ସୁଖପ୍ରୀତ । ପହଲଗାଓଁ ହମଲା ପରେ ସୁଖପ୍ରୀତ ନିକଟକୁ ଆସିଥିଲା ଲକ୍ଷେ ଟଙ୍କା । ପଞ୍ଜାବ ଗୁରୁଦାସପୁରରୁ ଗିରଫ ହୋଇଛି କରଣବୀର ସିଂ । ସେ ଆଇଏସଆଇକୁ ଅନେକ ସୂଚନା ପ୍ରଦାନ କରିଥିଲା ।