ଲୋକାଲ କେବୁଲ ମାଧ୍ୟମରେ ୟୁଟ୍ୟୁବ୍ କ୍ଲାସ୍କୁ ଛାଡ଼ି ସାର୍ ପାଲଟିଲେ ଅନ୍ଲାଇନ୍ କ୍ଲାସ୍ର ମାଧ୍ୟମ

ଆସିକା: କରୋନା ଖାଇଛି ପିଲାଙ୍କ ପାଠ। ସ୍କୁଲ ବନ୍ଦ ଥିବାରୁ ଘରେ ବନ୍ଦୀ ଛାତ୍ରଛାତ୍ରୀ। ଏପରି ସ୍ଥିତିରେ ପିଲାଙ୍କୁ ଶିକ୍ଷାଦାନ କରିବାକୁ ଆରମ୍ଭ ହୋଇଛି ୟୁଟ୍ୟୁବ କ୍ଲାସ୍। ହେଲେ ନେଟଓ୍ୱର୍କ ନଥିବା ଅଞ୍ଚଳରେ ପିଲାଏ ଏଥିରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଧରାକୋଟ ପାଟଣା ସ୍କୁଲର ପ୍ରଧାନ ଶିକ୍ଷକ କରିଛନ୍ତି ଅଭିନବ ଉଦ୍ୟମ। ୟୁଟ୍ୟୁବ୍ କ୍ଲାସକୁ ଲୋକାଲ କେବୁଲ ମାଧ୍ୟମରେ ଛାଡି ନେଉଛନ୍ତି କ୍ଲାସ୍।
କେବୁଲ ଟିଭିରେ ଚାଲିଛି କ୍ଲାସ୍। ଘରେ ବସି ପାଠ ପଢୁଛନ୍ତି ପିଲାଏ। ଉପାନ୍ତ ଅଞ୍ଚଳରେ ପହଞ୍ଚୁଛି ଶିକ୍ଷା। ଛାତ୍ରଛାତ୍ରୀ ଓ ଅଭିଭାବକ ଖୁସ୍। ଏମିତି ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ଦେଓପାଟଣା ମୁଣ୍ଡମରାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ। ଉପାନ୍ତ ଅଞ୍ଚଳରେ ନେଟଓ୍ୱର୍କ ନଥିବାରୁ ଅନେକ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେଉଥିଲେ। ତେଣୁ ସେମାନଙ୍କ ସମସ୍ୟାର ସାମାଧାନ ପାଇଁ ୟୁଟ୍ୟୁବ୍ କ୍ଲାସକୁ ସ୍ଥାନୀୟ କେବୁଲ ଜରିଆରେ ପିଲାଙ୍କ ନିକଟରେ ପହଞ୍ଚାଛନ୍ତି ସାର୍। ଏହାସହ ସ୍ଥାନୀୟ କେବୁଲ୍ ଟିଭି ଅପରେଟରଙ୍କ ସହାୟତାରେ କିଛି ଡିଭାଇସ ତିଆରି କରି ପିଲାଙ୍କ ପ୍ରଶ୍ନର ଉତ୍ତର ବି ଦେଉଛନ୍ତି । କେବୁଲ ସହାୟତରେ ସକାଳୁ ଦୁଇଘଣ୍ଟା ଓ ଅପରାହ୍ନ ଦୁଇଘଣ୍ଟା କ୍ଲାସ୍ କରିବା ସହ ଫୋନ ମାଧ୍ୟମରେ ବି ପିଲାଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ।
ଅଞ୍ଚଳର ପ୍ରାୟ ୪ ହଜାର ଉପଭୋକ୍ତା ଏହାର ଲାଭ ପାଉଛନ୍ତି । ଯେଉଁ ଘରେ କେବୁଲ ନାହିଁ ସେମାନେ ପଡିଶା ଘରେ ଆସି ନିଜର ପାଠ ପଢୁଛନ୍ତି । ଶିକ୍ଷକଙ୍କ ଏପରି ଉଦ୍ୟମକୁ ଅଭିଭାବକ ପ୍ରଶଂସା କରିଥିବାବେଳେ ଛାତ୍ରଛାତ୍ରୀ ପାଠପଢିବାର ସୁଯୋଗ ପାଉଛନ୍ତି । ସେପଟେ କେବୁଲ ଟିଭି ଏ ଶିକ୍ଷକଙ୍କ ଏପରି ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ।
ସୂର୍ଯ୍ୟ ସାରଙ୍କ ପରି କିଛି ଉତ୍ସାହି ଶିକ୍ଷକ ବାହାରିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ସମସ୍ତ କେବୁଲ ଚ୍ୟାନେଲ ସହଯୋଗ କରିବେ ବୋଲି କହିଛନ୍ତି ।