ସିସିଟିଭିକୁ ଚକମା ଦେବାକୁ ଟ୍ରାଫିକ୍ ଅମାନିଆଙ୍କ ନୂଆ ଫର୍ମୁଲା

ଭୁବନେଶ୍ବର: ଫାଇନରୁ ବର୍ତ୍ତିବାକୁ ଅମାନିଆଙ୍କ ନୂଆ ଫର୍ମୁଲା । ପୋଲିସ ତ ପୋଲିସ, ସିସିଟିଭି କ୍ୟାମେରାକୁ ଚକମା ଦେଉଛନ୍ତି ଉଲ୍ଲଘଂନକାରୀ । ଟ୍ରାଫିକ ସିସିଟିଭିରୁ ବଞ୍ଚିବା ପାଇଁ ନୂଆ ଫଣ୍ଡା ଆପଣାଉଛନ୍ତି ଯୁବପିଢି । ନମ୍ବର ପ୍ଲେଟକୁ ଭାଙ୍ଗିବା, ନମ୍ବର ପ୍ଲେଟର କିଛି ନମ୍ବର ଲିଭାଇ ଦେବା ଭଳି ପନ୍ଥା ଆପଣାଇ ଜରିମାନାରୁ ବଞ୍ଚିବା ସହିତ ଅପରାଧ ଭିଆଉଛନ୍ତି । ଯାହାକୁ ନେଇ କମିଶନରେଟ୍ ପୋଲିସ ଆରମ୍ଭ କରିଛି ସ୍ବତନ୍ତ୍ର ଡ୍ରାଇଭ ।

ଅମାନିଆଙ୍କ ଅଜବ ଷ୍ଟାଇଲ । ନମ୍ବର ପ୍ଲେଟ ଲିଭାଇବା ଟୁଇନସିଟିରେ ପାଲଟିଛି ଟ୍ରେଣ୍ଡ । ସିସିଟିଭିକୁ ଚକମା ଦେବାକୁ ଯୁବପିଢିଙ୍କ ଧୂର୍ତ୍ତ ବୁଦ୍ଧି । ସଚେତନ ପରେ ବି ଚେତୁ ନାହାନ୍ତି ଅମାନିଆ । ସଡକ ସୁରକ୍ଷା ଓ ଟ୍ରାଫିକ ନିୟମ ଉଲ୍ଲଘଂନ ନେଇ ପ୍ରିତଦିନ ଧରପଗଡ କରୁଛି ପୋଲିସ ।

କେଉଁଠି ଅମାନିଆ ବିନା ହେଲମେଟରେ ବୁଲୁଛନ୍ତି ତ ଆଉ କେଉଁଠି ତଣ୍ଡ ନଗଣିବାକୁ ନମ୍ବର ପ୍ଲେଟ ଘୋଡାଇବା କିମ୍ବା ସିଙ୍ଗଲ ନମ୍ବର କାଟିବା ଭଳି ପନ୍ଥା ଆପଣାଉଛନ୍ତି । କିଏ ଗାଡିର ନମ୍ବର ପ୍ଲେଟରେ କାଦୁଅ ଲଗାଇ ଦେଉଛି ତ ଆଉ କିଏ ଚୁଇଙ୍ଗମ । କିଏ ଫାଇନ ଫାଙ୍କିବାକୁ ଆଉ କିଏ ଅପରାଧ ଘଟାଇବା ପାଇଁ ନମ୍ବର ପ୍ଲେଟ ଭାଙ୍ଗୁଛନ୍ତି ।

ଅମାନିଆଙ୍କୁ ଧରିବାକୁ ପ୍ରାୟ ଏକବର୍ଷ ହେଲା ସହରର ୩୨ ଜାଗାରେ ଲାଗିଛି କ୍ୟମେରା । ଏହାସହ ପ୍ରମୁଖ ଛକର ପୋଲିସ କରୁଛି ସ୍ପେଶାଲ ଡ୍ରାଇଭ । ତାହା ପରେ ବି ଚେତୁ ନାହାନ୍ତି ଲୋକେ । ସେଣ୍ଟ୍ରାଲ ମୋଟର ଭେଇକିଲ ଆକ୍ଟକୁ ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି । ପୋଲିସ ପ୍ରଥମେ ସଚେତନ କରିବା ସହିତ ୫୦୦ ଟଙ୍କା ଚାଲାଣ କାଟୁଛି । ଉଲ୍ଲଘଂନକାରୀ ବାରମ୍ବାର ଏପିରି କଲେ ଗାଡି ଜବତ କରିବ ବୋଲି ଟ୍ରାଫିକ ଏସିପି କହିଛନ୍ତି ।

ସେପଟେ ସହରରେ ଟ୍ରାଫିକ ସମସ୍ୟାକୁ ସୁଧାରିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । କମିଶନରେଟ ପୋଲିସ, ବିଡିଏ ଓ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ଟ୍ରାଫିକ ଛକରେ ସମୀକ୍ଷା କରିଛନ୍ତି । ବିଭିନ୍ନ ଛକରେ ଅଟୋ ଚାଳକଙ୍କ ବେପରୁଆ ଚାଳନା ଓ ପାର୍କିଂ ପାଇଁ ସୃଷ୍ଟି ହେଉଥିବା ଟ୍ରାଫିକ ଜାମକୁ ସୁବ୍ୟବସ୍ଥିତ କରିବ ପୋଲିସ । ଅଟୋ ଷ୍ଟାଣ୍ଡ ପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରିବା ସହିତ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାତ୍ରୀ ଭଡା ସ୍ଥିର କରି ନିର୍ଦ୍ଧାରିତ ମୂଲ୍ୟର ତାଲିକା ପ୍ରତି ଷ୍ଟାଣ୍ଡରେ ଲଗାଯିବ । ଯାହାକୁ ସ୍ବାଗତ କରିଛି ଅଟୋ ଆସୋସିଏସନ । ଏବେ ରାଜଧାନୀରେ ୫୨ ହଜାର ଅଟୋ ପଞ୍ଜୀକୃତ ହୋଇଥିବା ବେଳେ ୩୦ ହଜାର ଚାଲୁଛି । ସହରରେ ପ୍ରମୁଖ ଜାଗାରେ ୧୫୦ ଅଟୋ ଷ୍ଟାଣ୍ଡ ରହିଛି ।

ରାଜଧାନୀରେ ଦିନକୁ ଗାଡି ମୋଟର ସଂଖ୍ୟ ବୃଦ୍ଧି ପାଉଥିବାରୁ ଲୋକମାନେ ଜାମରେ ନ ଫଶିବା ପାଇଁ ସୋସିଆଲ ମିଡିଆରେ ଯୋଡି ହୋଇଛି ଟ୍ରାଫିକ ପୋଲିସ । କେଉଁ ରୁଟରେ କ’ଣ ସମସ୍ୟା ରହିଛି ଟୁଇଟର, ଫେସବୁକ ଓ ଏଫଏମ ମାଧ୍ୟମରେ ଲୋକଙ୍କୁ ଅବଗତ କରୁଛି ପୋଲିସ ।