ରାୟଗଡା: ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକସନରେ ଯୁବକଙ୍କ ମୃତ୍ୟୁ । ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଶବ ଜବତ କରି ପୋଲିସ ଆରମ୍ଭ କରିଛି ତଦନ୍ତ । ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସାନ ଚାନ୍ଦିଲି ଗାଁରେ । ମୃତକ ହେଲେ ପ୍ରଶାନ୍ତ କୌଶଲ୍ୟା । ଜେକେପୁର ସ୍ଥିତ ବି.ସି ରୋଡ଼ ନିକଟରେ ବି.ଏ ରାଓ ବା ନନ୍ଦୁ ବାବୁ ନାମକ ନକଲି ଡାକ୍ତର କ୍ଲିନିକକୁ ପ୍ରଶାନ୍ତ କୌଶଲ୍ୟା ଯାଇଥିଲେ ।
ତାଙ୍କର ମୁଣ୍ଡ ବ୍ୟଥା ସାଙ୍ଗକୁ ସାମାନ୍ୟ ପେଟ ଯନ୍ତ୍ରଣା ହେଉଥିଲା । କ୍ଲିନିକରେ ଦୁଇଟି ଭୁଲ ଇଂଜେକସନ ଓ କିଛି ଔଷଧ ଦେଇଥିଲେ ନନ୍ଦୁ । ଇଞ୍ଜେକସନ ଦେବା ପରେ ପ୍ରଶାନ୍ତ ଘରକୁ ଫେରିବାର ୧୦ ମିନିଟ ମଧ୍ୟରେ ବାନ୍ତି ସାଙ୍ଗକୁ ଛାତିରେ ଗଭୀର ଯନ୍ତ୍ରଣା ହେବା ସହ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।
ଦୀର୍ଘ ବର୍ଷ ଧରି ଏଭଳି ନକଲି କ୍ଲିନିକ ସହ ବିଭିନ୍ନ ଗାଁକୁ ଯାଇ ନକଲି ଡାକ୍ତର ଜଣକ ଘର ଘର ବୁଲି ଚିକିତ୍ସା କରି ଲୋକଙ୍କ ଜୀବନ ସହ ଖେଳୁଥିଲେ । ନନ୍ଦୁ ବାବୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତଙ୍କ ପରିବାର ।

