ଅଶାନ୍ତ ରାଜଧାନୀ: ଯୁବକଙ୍କୁ ଉଠାଇ ନେଇ ଲକ୍ଷେ ଟଙ୍କା ମୁଣ୍ଡ ଜାମିନ ରଖିଲେ ଦୁର୍ବୃତ୍ତ

ଭୁବନେଶ୍ବର: ପୁଣି ଅଶାନ୍ତ ରାଜଧାନୀ ଭୁବନେଶ୍ବର । ହୋଲିରେ ଦୁଇଟି ହତ୍ୟା ଘଟଣା ରାଜଧାନୀବାସୀଙ୍କ ମନରୁ ଲିଭି ନଥିବା ବେଳେ ଜଣେ ଯୁବକଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ । ଯୁବକଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖିବା ସହ ଲକ୍ଷେ ଟଙ୍କା ମାଗିଛନ୍ତି ଦୁର୍ବୃତ୍ତ ।

ଲକ୍ଷେ ଟଙ୍କା ଦିଅ ଯୁବକଙ୍କୁ ଫେରାଇ ନିଅ । ଏମିତି କିଛି ଚେତାବନୀ ଦେଇଛନ୍ତି ଦୁର୍ବୃତ୍ତ । ଭରତପୁର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ଗତକାଲି ସମ୍ ହସ୍ପିଟାଲ ଛକରୁ କଣ୍ଟ୍ରାକ୍ଟର ମୁନା ଚାନ୍ଦ ନାୟକଙ୍କୁ ଅପହରଣ କରି ନେଇ ନିସ୍ତୁକ ମାଡମାରି ଡମଣା ଛକରେ ଫୋଫାଡ଼ି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଅପହରଣ କରିବା ପରେ ପରିବାର ଲୋକଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ତେବେ ପରିବାର ଲୋକ ଟଙ୍କା ନଦେବାରୁ ଦୁର୍ବୃତ୍ତମାନେ ମାଡ଼ ମାରି ମୁନାଙ୍କୁ ଫୋଫାଡ଼ି ଫେରାର ହୋଇଯାଇଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ମୁନାଙ୍କୁ ଚିକତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ସେପଟେ କଣ୍ଟ୍ରାକ୍ଟରଙ୍କୁ ଅପହରଣ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ଭରତପୁର ପୋଲିସ । ଘଟଣାରେ ଡ୍ରାଇଭ ଜୋନ ସେଲ୍ଫ ଡ୍ରାଇଭ କାରର ମାଲିକ ଦୀପକ ମହାରଣା ଓ ସହଯୋଗୀ ଉତ୍କଳ କେଶରୀ ଖୁଣ୍ଟିଆଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।