ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ BNSS-163 ଧାରା ଜାରି

1 min read

ଖୋର୍ଦ୍ଧା : ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ BNSS-163 ଧାରା ଜାରି। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଜାରି କରିଛି ପ୍ରଶାସନ । ଓ୍ବାର୍ଡ ନମ୍ବର ୧, ୨, ୩, ୨୧ ଓ ୨୨ ନମ୍ବର ଓ୍ବାର୍ଡରେ BNSS-163  ଧାରା ଜାରି କରାଯାଇଛି । ୫ ଜଣରୁ ଉର୍ଦ୍ଧ୍ବ ଏକାଠି ନହେବାକୁ ନିର୍ଦ୍ଦେଶ ଦିଆଯାଇଛି । କେହିବି କୌଣସି ପ୍ରକାର ମାରଣାସ୍ତ୍ର ଧରି ପାରିବେ ନାହିଁ । ରାସ୍ତାରେ ଜଳାପୋଡା କରିବାକୁ ମଧ୍ୟ ବାରଣ କରାଯାଇଛି ।  ବାଣ ଫୁଟାଇବା ଏବଂ ଫୋପାଡିବା ଉପରେ କଟକଣା ଲଗାଯାଇଛି । ସ୍କୁଲ ଓ କଲେଜ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ଖୋର୍ଦ୍ଧା ଜିଲ୍ଲାପାଳ । ମୁକୁନ୍ଦପ୍ରସାଦରେ ପୋଲିସ ଫ୍ଲାଗ ମାର୍ଚ୍ଚ ମଧ୍ୟ କରିଛି । ଗଳିଗନ୍ଦିକୁ ଜଗିଛି ୭ ପ୍ଲାଟୁନ ସଶସ୍ତ୍ର ପୋଲିସ । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିଜିପି ଓ୍ବାଇ ବି ଖୁରାନିୟା । ମୃତକଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି ଡିଜିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ । ପୀଡିତ ପରିବାର ଥାନାର ଦ୍ବାରସ୍ଥ ହେବାକୁ ଡିଜିପି ପରାମର୍ଶ ଦେଇଛନ୍ତି ।  ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବାକୁ ପୋଲିୁସକ ସେ କଡା ନିର୍ଦ୍ଦେଶ ଦେଇଛନ୍ତି । ମୁକୁନ୍ଦପ୍ରସାଦ , ପୋଡା ସାହି ଓ ଦଧିବାମନ ସାହି ବୁଲି ସ୍ଥିତିପରଖିଲେ ଡିଜିପି ।ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ରହିଛନ୍ତି । ଘଟଣାକୁ ନେଇ ଏସପି ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । ଅନେକ ଘର ଓ ଗାଡି ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି । ସମସ୍ତଙ୍କୁ ଶାନ୍ତିରକ୍ଷା କରିବାକୁ ଅପିଲ କରିଛନ୍ତି ଡିଜିପି । ଆଜି ଦିନ ଦ୍ବିପ୍ରହରରେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ହତ୍ଯାକାଣ୍ଡ ଘଟିଥିଲା। ଦିନ ଦ୍ଵିପ୍ରହରରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ଯା କରିଛନ୍ତି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ଯାକାଣ୍ଡ ଘଟିଥିବା ଜଣାପଡିଛି। ସଂଘବଦ୍ଧ ଭାବେ ଗୋଡାଇ ଗୋଡାଇ ଆକ୍ରମଣ କରି ହତ୍ଯା କରିଛନ୍ତି ଦୁର୍ବୃତ୍ତ। ମୃତକ ମୁକୁନ୍ଦପ୍ରସାଦର ଶେଖ୍ ସାଜିଦ ବୋଲି ଜଣାପଡ଼ିଛି। ଖୋର୍ଦ୍ଧା ହସ୍ପିଟାଲରେ ରହିଛି ଶେଖ ସାଜିଦଙ୍କ ମୃତଦେହ।  ଦୁଇ ଗୋଷ୍ଠୀ ଭିତରେ ପୂର୍ବରୁ ରହିଥିଲା ତିକ୍ତତା। ଏହାକୁ ନେଇ ଆଜି ଗ୍ଯାରେଜ ଭିତରେ ପଶି ଦୁର୍ବୃତ୍ତ ମାନେ ଶେଖ୍ ସାଜିଦକୁ ହାଣିଛନ୍ତି । ଗତ କିଛି ଦିନ ତଳେ ମୁକୁନ୍ଦପ୍ରସାଦରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ ସଂଙ୍ଘର୍ଷ ହୋଇଥିଲା ।  ଆଜିର ଏହି ହତ୍ୟାକାଣ୍ଡ ପଛରେ ପୂର୍ବର ଗୋଷ୍ଠୀ ସଂଙ୍ଘର୍ଷ କାରଣ ବୋଲି କୁହାଯାଉଛି। ଏହି ହତ୍ୟାକାଣ୍ଡ ପରେ ଖୋର୍ଦ୍ଧା ପରିସ୍ଥିତି ଅଣାୟତ ହୋଇପଡିଛି। ମୃତକଙ୍କ ପକ୍ଷ ଗୋଷ୍ଠୀ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଖବର ମିଳିଛି। ଟାୟାର ଜାଳି ଏହି ଗୋଷ୍ଠୀ ବିଭିନ୍ନ ସ୍ଥାନରେ ରାସ୍ତା ରୋକ କରିଛି। ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି ।   ଗତ କିଛିଦିନ ତଳେ ଛଣଗିରିରେ ମଧ୍ଯ ହୋଇଥିଲା ଗୋଷ୍ଠୀ ବିବାଦ। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। କୁହୁଡିରେ ମଧ୍ୟ ଦୁଇ ଗୋଷ୍ଠୀ ଭିତରେ ସମାନ ବିବାଦ ଦେଖା ଦେଇଥିଲା। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବାରମ୍ବାର ଏଭଳି ମୁହାଁମୁହିଁ ପରିସ୍ଥିତି ଉପୁଜୁଥିଲେ ମଧ୍ୟ ପ୍ରଶାସନ ସ୍ଥାୟୀ ସମାଧାନ ପାଇଁ ଉଦ୍ଯମ କରୁନଥିବା ଅଭିଯୋଗ ହେଉଛି।