ଦିନକ ପରେ ହୋଇଥାନ୍ତା ବାହାଘର, ଗାଧୋଇବାକୁ ଯାଇ ଫେରିଲାନି ଯୁବକ

ଭୁବନେଶ୍ୱର: ଘରେ ଅପେକ୍ଷା କରିବସିଛି ମଙ୍ଗୁଳା କନ୍ୟା। ପାଦରେ ଅଳତା, ହାତରେ ମେହେନ୍ଦୀ ମାଖୀ ପ୍ରସ୍ତୁତ ହୋଇରହିଥିଲା । ପ୍ରେମିକକୁ ବିବାହ କରିବ ବୋଲି ବାପମାଆକୁ ପର କରି ଚାଲି ଆସିଥିଲା । ଆଜି ବାହାଘର ହୋଇଥାନ୍ତା। ହେଲେ ସବୁକିଛି ଓଲଟପାଲଟ ହୋଇଗଲା । ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ପ୍ରେମିକର ମୃତ୍ୟୁ ହୋଇଛି ।

ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ଗାଁର ଯୁବକ ନିଶା ବେହେରା ବାଗଡ଼ିଆ ଥାନା ନୂଆଗାଁ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । କିନ୍ତୁ ଏହାକୁ ସ୍ୱୀକୃତି ଦେଉ ନଥିଲେ ଝିଅର ପରିବାର ଲୋକ । ଫଳରେ ନିଶା ଭଲ ପାଉଥିବା ଯୁବତୀଙ୍କୁ ନିଜ ଘରକୁ ନେଇ ଆସିଥିଲେ। ନିଶାଙ୍କ ପରିବାର ଲୋକ ମଧ୍ୟ ଯୁବତୀଙ୍କୁ ବୋହୂ ଭାବରେ ଗ୍ରହଣ କରିଥିଲେ।

ଆଜି ମନ୍ଦିରରେ ବାହାଘର ହୋଇଥାନ୍ତା । ଏଥିପାଇଁ ସମସ୍ତ ପ୍ରସ୍ତୁତି କରା ଯାଇଥିଲା । ତେବେ ହୋଲି ଦିନ ନିଶା ରଙ୍ଗଖେଳି ସାରି ମଧ୍ୟାହ୍ନରେ ଗାଁ ପାଖ ନାଳକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ପାଣିରେ ପଶିବା ପରେ ଆଉ ଉଠି ପାରିନଥିଲେ। ସାଙ୍ଗରେ ଯାଇଥିବା ଏକ ଛୋଟପିଲା ଘରକୁ ଆସି ଏ ସମ୍ପର୍କରେ ଖବର ଦେଇଥିଲା। ଘର ଲୋକ ତୁରନ୍ତ ନିଶାଙ୍କୁ ପାଣିରୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ନିଶାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ବାହୁନି ବାହୁନି କାନ୍ଦୁଛି କନିଆ । ଯେଉଁଘରେ ଆଜି ଢୋଲ ମହୁରୀ ବାଜିଥାନ୍ତା ସେହି ଘର କାନ୍ଦ ବୋବାଳିରେ ଫାଟି ପଡୁଛି । ପୁଅକୁ ହରାଇ ପରିବାର ଲୋକ କୋହ ସମ୍ଭାଳି ପାରୁ ନାହାନ୍ତି। ତେବେ ପାଣିରେ ବୁଡି ଯୁବକଙ୍କର ମୃତ୍ୟୁ ହୋଇଛି ବୋଲି କିଛି ଲୋକ କହୁଥିବା ବେଳେ ନାଳରେ ଲାଗିଥିବା ପାଣିପମ୍ପର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଆଉକିଛି ଲୋକ କହୁଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।