ପିକନିକ ହେଲା କାଳ: ନଦୀକୁ ଡେଇଁଲେ, ଆଉ ଉଠିଲେନି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଗୁଦଗୁଦାରେ ଅଭାବନୀୟ ଘଟଣା । ପିକନିକ୍ ମଜା ହେଲା କାଳ । ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଲେ ତ୍ରିନାଥ ପ୍ରଧାନ । ଲାଲଟିକ୍ରାରେ ଏକ ଫର୍ଣ୍ଣିଚର ଦୋକାନରେ ଦୁଇ ମାସ ହେବ କାମ କରୁଥିଲେ ତ୍ରିନାଥ । ତ୍ରିନାଥଙ୍କ ପିକନିକ ବେଳର ଭିଡିଓ ହୃଦୟ ଥରାଇ ଦେବ ।

ସୂଚନାଯୋଗ୍ୟ, ଦୋକାନ ମାଲିକ ଓ କର୍ମଚାରୀ ଗୁଦଗୁଦାକୁ ବଣଭୋଜି କରିବାକୁ ଯାଇଥିଲେ । ସେଠାରେ ସମସ୍ତେ ନଦୀରେ ଗାଧୋଇବାର ମଜା ନେଉଥିଲେ । ଅନ୍ୟ କର୍ମଚାରୀମାନେ ଗାଧୋଉ ଥିବା ବେଳେ ତ୍ରିନାଥ ଏବଂ ଅନ୍ୟ କିଛି କର୍ମଚାରୀ ନଦୀକୁ ଡେଇଁବାର ମଜା ନେଉଥିଲେ । ଏହି ସମୟରେ ତ୍ରିନାଥ ନଦୀକୁ ଡେଇଁଥିଲେ । ହେଲେ ସେ ଆଉ ଠି ନଥିଲେ । ପାଖରେ ଦୋକାନ କର୍ମଚାରୀମାନେ ଗାଧୋଇ ଥିଲେ ବି ତ୍ରିନାଥଙ୍କ ସମ୍ପର୍କରେ ଜାଣି ନଥିଲେ । ପରେ ଜାଣିବା ପରେ ସେମାନେ ତାଙ୍କୁ ଉଦ୍ଧାର କରି ଗୁଡ଼ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ତ୍ରିନାଥଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା କହିଛନ୍ତି ପରିବାର ଲୋକେ । ପରିବାର ଲୋକେ ମୃତଦେହକୁ ଧରି ଧାରଣାରେ ବସିଥିବା ସହ ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଘଟଣାସ୍ଥଳରେ ତୁଷୁରା ଥାନା ପୋଲିସ ପହଞ୍ଚି ବୁଝାଶୁଝା କରିବା ସହ ମାମଲା ରୁଜୁ କରି ତଦନ୍ତ କରୁଛି ।