ଟ୍ରେନରେ ସୁରତ ଫେରନ୍ତାଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଖଲ୍ଲିକୋଟ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏପରିକି ସଂକ୍ରମଣକୁ ରୋକିବା ଲାଗି ନାଇଟ କର୍ଫ୍ୟୁ ଓ ସଟଡାଉନ୍ ଭଳି କଟକଣା ଲାଗୁ କରାଯାଇଛି । ଏଭଳି ପରିସ୍ଥିତିରେ ଘର ଛାଡି ବାହାରେ ରହୁଥିବା ବ୍ୟକ୍ତିବିଶେଷ ତଥା ପ୍ରବାସୀ ମାନେ ଏବେ ଘର ମୁହାଁ ହୋଇଛନ୍ତି । ଏମିତି ଜଣେ ବ୍ୟକ୍ତି ସୁରତରୁ ଗାଁକୁ ଫେରୁଥିବା ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ହେବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି ।

ସୂଚନା ଅନୁଯାୟୀ, ଏଭଳି ଘଟଣା ଘଟିଛି ପୁରୀ ଅହମ୍ମଦାବାଦ ଟ୍ରେନରେ। ମୃତ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ବିଶ୍ବନାଥ ଜେନା। ସେ ଗତକାଲି ସୁରତରୁ ଜଣେ ସମ୍ପର୍କୀୟଙ୍କ ସହ ପୁରୀ ଅହମ୍ମଦାବାଦ ଟ୍ରେନରେ ଖଲ୍ଲିକୋଟ ଷ୍ଟେସନ ଫେରୁଥିବା ବେଳେ ରାତ୍ର ୧୧ଟା ସମୟରେ ଟ୍ରେନରେ ହିଁ କୗେଣସି କାରଣବଶତଃ ତାଙ୍କର ମୃତ୍ୟୁ ଘଟିଛି ।

ପରେ ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ମୃତଦେହକୁ ବାହାର କରାଯାଇଥିଲା। ଏନେଇ ଜିଆରପି ପାଖରେ ଖବର ପହଞ୍ଚିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ଯୁର କାରଣ ସ୍ପଷ୍ଟ ହୋଇପାରିନାହିଁ ।

ସୂଚନାଯୋଗ୍ୟ, ଗତବର୍ଷ ଭଳି ଏବର୍ଷ ବି ସ୍ଥିତି ସଙ୍ଗୀନ ହେଉଥିବାରୁ ଲକଡାଉନ ହେବା ଆଶଙ୍କା ଉପୁଜିଛି । ଲକଡାଉନ ସମୟର ଅକଥନୀୟ କଷ୍ଟ ପ୍ରବାସୀଙ୍କ ମନରୁ ଲିଭି ନ ଥିବା ବେଳେ ପୁଣି ଥରେ ଲକଡାଉନ ଆଶଙ୍କା ପ୍ରବାସୀ ଶ୍ରମିକଙ୍କୁ ଭୟଭୀତ କରିଛି। ଯାହାଫଳରେ ପୁଣି ଘରବାହୁଡା ହୋଇଛନ୍ତି ପ୍ରବାସୀ । କଟକଣା ଫେରିଥିବା ବେଳେ ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ନିଦ ଏକପ୍ରକାର ହଜିଯାଇଛି। ଯେଉଁଥିପାଇଁ ପରିବାରକୁ ଧରି ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ।

 

ପୂର୍ବବର୍ଷ ଲକ୍‌ଡାଉନ ଯୋଗୁ ବହୁ ଶ୍ରମିକ ରୋଜଗାର ହରାଇବା ପରେ ଭୋକ ଉପାସରେ ଦିନ କାଟିଥିଲେ । ସେଭଳି ସ୍ଥିତିର ପୁନରାବୃତ୍ତି ଭୟରେ ଘରକୁ ଫେରିବାକୁ ବସ୍ ଓ ରେଳ ଷ୍ଟେସନରେ ଭିଡ଼ ଜମାଉଛନ୍ତି।

Leave a Reply