ପୃଥ୍ବୀରାଜ ଅହଙ୍କାରୀର ଭାଷା କହୁଛନ୍ତି: କଂଗ୍ରେସ

ଭୁବନେଶ୍ବର: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ କଂଗ୍ରେସ ଦେଶ ବିରୋଧୀ ମନ୍ତବ୍ୟର କଡା ଜବାବ ଦେଇଛି ଦଳ । ପୃଥ୍ବୀରାଜ ବାଚଳାମି କରୁଛନ୍ତି ଓ ଅହଙ୍କାରର ଭାଷା କହୁଛନ୍ତି ବୋଲି କହି ଟାର୍ଗେଟ କରିଛି ଯୁବ କଂଗ୍ରେସ୍ ।

ଆଇନମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ଦେବାକୁ ଯାଇ ଯୁବ କଂଗ୍ରେସ ନେତା ୟାସିର୍ ନଓ୍ବାଜ କହିଛନ୍ତି କଂଗ୍ରେସ ହେଉଛି ସ୍ଵାଧୀନତା ସଂଗ୍ରାମୀଙ୍କ ଦାୟଦ । ବିଜେପି ହେଉଛି ଇଂରେଜଙ୍କ ଦାୟଦ । ପୃଥ୍ବୀରାଜ ହରିଚନ୍ଦନ ଯାହା କହିଛନ୍ତି ଏହା ହେଉଛି ତାଙ୍କର ବାଚଳାମି । ସେ ସାମ୍ବିଧାନିକ ପଦବୀରେ ଥାଇ ଯେଉଁଭଳି ଅହଙ୍କାରୀ ଭାଷା କହିଛନ୍ତି ତାହା ହେଉଛି ରାବଣର ଭାଷା, ଅହଙ୍କାରିର ଭାଷା ।

ପୁଣି ସେ କହିଛନ୍ତି, ଜଣେ ସାମ୍ବିଧାନିକ ପଦବୀରେ ରହି ଯେଉଁ ଭଳି ଭାବେ ବିରୋଧୀଙ୍କୁ ଭର୍ତ୍ସନା କରିଛନ୍ତି ତାହା ହେଉଛି ଅହଙ୍କାରର ପ୍ରତୀକ । ବିରୋଧୀ ଦଳ ହିସାବରେ ଆମେ ଡିଜି ସମ୍ମିଳନୀକୁ ବିରୋଧ କରୁନୁ । ଆମେ ରାଜ୍ୟର ଆଇନ୍ ଶୃଙ୍ଖଳା ବିଷୟରେ ପଚାରିବାକୁ ଯାଇଥିଲୁ ।

ଏହାସହ ରାଜ୍ୟପାଳଙ୍କ ପୁଅ ଉପରେ କ’ଣ ଆକ୍ସନ ନିଆଗଲା ବୋଲି ପ୍ରଶ୍ନ କରିଛନ୍ତି ୟାସିର । ସରକାରକୁ ଆସୁ ଆସୁ ଦରଦାମର ପ୍ରଭାବରେ ଆମ୍ବ ଟାକୁଆ ଖାଇ ଲୋକଙ୍କ ମୃତୁ ହେଲା । କିନ୍ତୁ ସେ ଯେଉଁ ଭଳି ଭାଷା ଆମ ପ୍ରତି ପ୍ରୟୋଗ କରିଛନ୍ତି ତାହା ଗ୍ରହଣୀୟ ନୁହେଁ । ଆମେ ଏହାକୁ ନିନ୍ଦା କରୁଛୁ ।