ସୋସିଆଲ ମିଡିଆରେ ଡରାଉଥିଲା, ବାନ୍ଧିଲା ପୋଲିସ

1 min read

ଝାରସୁଗୁଡ଼ା: ସୋସିଆଲ ମିଡିଆରେ କିଛି ଦିନ ଧରି ଧମକପୂର୍ଣ୍ଣ ଫଟୋ, ଭିଡିଓ ଓ ମେସେଜ ପଠାଇ ହଟଚମଟ ସୃଷ୍ଟି କରୁଥିବା ଯୁବକକୁ ବାନ୍ଧିଲା ପୋଲିସ । ଅଭିଯୁକ୍ତ ଜଣଙ୍କ ହେଲେ ଜାଭେଦ ଆନସାରୀ । ତା’ ପାଖରୁ ବ୍ରଜରାଜନଗର ପୋଲିସ ଗୋଟିଏ ମୋବାଇଲ ଫୋନ୍ ଜବତ କରିଛି । ଯେଉଁଥିରେ ଆପତ୍ତିଜନକ ଭିଡିଓ, ଫଟୋ ଓ ମେଲ ରହିଛି ।

ଘଟଣା ଜଣାପଡ଼ିବା ପରେ ବ୍ରଜରାଜନଗର ପୋଲିସ ନିଜ ତରଫରୁ ମାମଲା ରୁଜୁ କରି  ତଦନ୍ତ ଆରମ୍ଭ କରିଥିଲା । ବ୍ରଜରାଜନଗର ଥାନା ଆଇଆଇସି ନିଜେ ଏଫଆଇଆର ଦେଇଥିଲେ । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗିରଫ ହୋଇଥିବା ଯୁବକ ସ୍ଥାନୀୟ ଅଞ୍ଚଳର । କିଛିଦିନ ହେବ ଆପତ୍ତିଜନକ ଫଟୋ, ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ଆସୁଥିଲା । FIRରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଜାଭେଦ କେନ୍ଦ୍ରୀୟ ସଂସ୍ଥାଗୁଡିକୁ ଧମକପୂର୍ଣ୍ଣ ଇ-ମେଲ ପଠାଇଛି । ଆଇଆଇସି ଉଲ୍ଲେଖ କରିଛନ୍ତି, ଜାଭେଦ ବିଭିନ୍ନ ଆତଙ୍କବାଦୀ ସଂଗଠନର ନାଁ ନେଇ ୨୬/୧୧ ଭଳି ଘଟଣା ଘଟାଇବାକୁ ସେ ଓ ତାର ସଂଗଠନ ପ୍ରସ୍ତୁତ ହେଉଛନ୍ତି ବୋଲି ଧମକ ଦେଉଥିଲା ।

ପୋଲିସ ଘଟଣାକୁ ଗୁରୁତର ସହ ନେଇ ଦଫା ୫୦୫, ୫୦୬ ଓ ୬୬(ସି) ଆଇଟି ଆକ୍ଟରେ ମାମଲା ରୁଜୁ କରିବା ସହ ସଂପୃକ୍ତ ଯୁବକ ଜାଭେଦ ଆନସାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଜାଭେଦର ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚ କରିବା ସହ ଅନ୍ୟ କୌଣସି ସନ୍ଦିଗ୍ଧ ଘଟଣାରେ ଲିଙ୍କ ଅଛି କି ନା କେବଳ ଇର୍ଷା ପରାୟଣ ହୋଇ ଏଭଳି ମେଲ କରିଥିଲା ତା’ର ତଦନ୍ତ କରୁଛି ।