କଳା ବେଲୁନ ଦେଖାଇ ପ୍ରାଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ କଂଗ୍ରେସର ବିରୋଧ

1 min read

ଭୁବନେଶ୍ବର: ଓଡ଼ିଶାରେ ଚାଲିଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ସାମିଲ ହେବାକୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ । ତେବେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ କଂଗ୍ରେସ ତରଫରୁ ଜୋରଦାର ବିରୋଧ କରାଯାଇଛି । ମୁଣ୍ଡରେ କଳା ପଟି ବାନ୍ଧି କଳା ବେଲୁନ ପ୍ରଦର୍ଶନ କରି ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ ।

ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଏହି ବିରୋଧ କରାଯାଇଛି । କଂଗ୍ରେସ ଭବନରୁ ଲୋକସେବା ଭବନ ପର୍ଯ୍ୟନ୍ତ ବିକ୍ଷୋଭ ଯାତ୍ରା ବେଳେ ସହ ଯୁବ ଓ ଛାତ୍ର କଂଗ୍ରେସର ପୋଲିସ ସହ ଧସ୍ତାଧସ୍ତି ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡି଼ଶା ଗସ୍ତକୁ ତୀବ୍ର ବିରୋଧ କରିଛନ୍ତି ଯୁବ ଓ ଛାତ୍ର କଂଗ୍ରେସ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବାବେଳେ ଡିଜିପି ସମ୍ମିଳନୀ କରିବାରେ ଲାଭ କ’ଣ ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ ।

ଦେଶରେ ବେରୋଜଗାରୀ ବଢ଼ି ଚାଲିଛି । ଆଦାନୀକୁ ଜମି ପାଣି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହେଉନି । ରାଜ୍ୟପାଳଙ୍କ ପୁଅକୁ ଗିରଫ ନକରି ବିଜେପି ସମର୍ଥିତ ବିଧାୟକ ଲିକୁ ସାହୁଙ୍କ କ୍ଷେତ୍ରରେ ବିଜେପି ସରକାର ବେଶୀ ତତ୍ପରତା ଦେଖାଉଛନ୍ତି ବୋଲି ଅଭିଯୋଗ କରିଛି ଯୁବ କଂଗ୍ରେସ ।

ସେହିପରି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବାରେ ସମ୍ପର୍ଣ୍ଣ ଫେଲ ମାରିଛନ୍ତି ସରକାର । ଯାହା ପ୍ରତିଶ୍ରୁତି ଦେଇଥିଲେ ସବୁ ମିଛ ପାଲଟିଛି । ତିନି ଶହ ୟୁନିଟ ବିଜୁଳି ଗଲା କୁଆଡେ ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି । ଦରଦାମ ନିୟନ୍ତ୍ରଣରେ ଡବଲ ଇଞ୍ଜିନ ପୂରା ଫେଲ । ବିଜେପି ସରକାର ଓଡ଼ିଶାରେ ଆସିବା ପରେ ରାଜ୍ଯର ଖଣିଜ ସମ୍ପଦ ଆଦାନୀ-ଅମ୍ବାନୀଙ୍କ ହାତରେ ଟେକି ଦେବାକୁ ବସିଛନ୍ତି ବୋଲି ଅଭିଯୋଗ କରିଛି ଯୁବ କଂଗ୍ରେସ ।

ପଳାତକ କମ୍ପାନୀକୁ ନିମନ୍ତ୍ରଣ ଓ ମେଟ୍ରୋ ପ୍ରକଳ୍ପକୁ ଏକ ବ୍ଲାକ ଲିଷ୍ଟ କମ୍ପାନୀ ହାତକୁ ଟେକି ଦେବା ବିରୋଧରେ ନାରାବାଜି କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯୁବ ଓ ଛାତ୍ର କଂଗ୍ରେସ । ବିରୋଧ ସମୟରେ ପୋଲିସ ସହିତ ମୁହିଁମୁହିଁ ହୋଇଥିଲେ ଦଳୀୟ ନେତା ଓ କର୍ମୀ । ଗାନ୍ଧୀ ମାର୍ଗରେ ଥିବା ବ୍ୟାରିକେଡକୁ ଭାଙ୍ଗି ଆଗକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଅନେକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଛି ପୋଲିସ ।