ପୁଣି ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ନିର୍ଯାତନା ଅଭିଯୋଗ, ଯୁବକଙ୍କୁ ପିଟିପିଟି ମାରି ଦେଲେ !

ଭୁବନେଶ୍ବର: ସମର୍ଥ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣା ଲୋକଙ୍କ ମନରୁ ଯାଇନି ପୁଣି ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ସମାନ ଅଭିଯୋଗ । କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ । ଏମିତି ଅଭିଯୋଗ ଆସିଛି ଝାରପଡ଼ା ମହାଦେବ ନଗର ସ୍ଥିତ ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ।

ମୃତ ଯୁବକ ଜଣଙ୍କ ହେଲେ ନୟାଗଡ଼ର ପ୍ରଶାନ୍ତ ନାୟକ । ବଳକା ଟଙ୍କା ପୈଠ ନକରିବାରୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେପଟେ ସାମ୍ନାକୁ ଆସିଛି ନିଶା ନିବାରଣ କେନ୍ଦ୍ରର ସିସିଟିଭି ଫୁଟେଜ୍ । ମୃତ ଯୁବକ ଗତ ୨ ଦିନ ଧରି ଠିକ ଭାବେ ଖିଆପିଆ କରୁଥିବା ବେଳେ ଗତକାଲି ହଠାତ ତାର ରକ୍ତଚାପ ବଢ଼ି ଯାଇଥିଲା । ଯେଉଁଥି ପାଇଁ ମୃତ୍ୟୁ ହୋଇଥିବା କହିଛନ୍ତି ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ । ବଡ଼ କଥା ହେଉଛି ବାରମ୍ବାର ସୁଧାର ଗୃହରେ ସୀମା ଟପୁଛି ଅତ୍ୟାଚାର । ନିଶା ଛଡ଼ାଇବା ନାଁରେ ନିର୍ଧୁମ ମାଡ଼ ମରାଯାଉଛି । ବାରମ୍ବାର ରାଜଧାନୀରେ ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଅଭାବରୁ ଚାଲିଯାଉଛି ନିରୀହ ଲୋକଙ୍କ ଜୀବନ ।