ମାଆ ବାପା ଚାଲିଗଲା ପରେ ଏବେ ଭରସା ସାନ ଭଉଣୀ… ହେଲେ ସେ ହାଇଦ୍ରାବାଦକୁ କାମ କରିବାକୁ ଯାଇ ଫସିଯାଇଛି…
ନବରଙ୍ଗପୁର: କରୋନା ଉଜାଡ଼ିଦେଇଛି ପରିବାର । ତିନିବର୍ଷ ତଳେ ବାପା ଚାଲିଯାଇଥିଲେ, ଏବେ ମାଆ ଚାଲିଗଲା । ଘରେ ଏକା ବଡ଼ ଉଭଣୀ । ଦୂର ରାଇଜକୁ ସାନ ଭଉଣୀ ରୋଜଗାର ପାଇଁ ଯାଇ ଆଉ ଫେରିପାରୁନି । ଟଙ୍କା ପାଇଁ ହାଇଦ୍ରାବାଦରେ ବନ୍ଧା ପଡିଛି ତାର ନୀରିହ ଜୀବନ । ଆଉ ସାନ ଭଉଣୀକୁ ମୁକୁଳାଇବାକୁ ବ୍ଲକ ପ୍ରଶାସନକୁ ନିବେଦନ କରିଛି ବଡ ଭଉଣୀ ।
କରୋନା ଜ୍ୱାଳାରେ ଜାଳିହେଉଛନ୍ତି ଖଟିଖିଆ । ନବରଙ୍ଗପୁର ଚନ୍ଦାହାଣ୍ଡି କେନାଲ୍ ସାହିରେ ଦେଖିବାକୁ ମିଳିଛି କରୁଣ ଦୃଶ୍ୟ । ଅନାଦି ଚୌହ୍ଵାନ୍ ନାମକ ମହିଳା ସ୍ୱାମୀ ଚାଲିଯିବା ପରେ ୨ ଝିଅଙ୍କୁ ଧରି ବହୁ କଷ୍ଟରେ ଚଳୁଥିଲେ । ପରିବାର ଚଳାଇବା ସହ ନିଜର ଖର୍ଚ୍ଚ ଉଠାଇବା ପାଇଁ ୨ ଝିଅ ଓ ମାଆ ରୋଜଗାର କରିବାକୁ ଅଣ୍ଟା ଭିଡ଼ିଲେ । ଗାଁରେ ରହିଲେ କାମ ମିଳିବନି । ଯଦି ମିଳିବ ତାହା ପେଟକୁ ଦାନା ଯୋଗାଡ଼ କରିବାରେ ନିୟଣ୍ଟିଆ ପଡ଼ିଯିବ । ସେଥିପାଇଁ ଦୂର ରାଇଜକୁ ଯାଇ ରୋଜଗାର କରିବାକୁ ଚିନ୍ତା କରିଥିଲେ ମାଆ ଓ ଝିଅ ।
ତେବେ ସାନଝିଅ ଓ ମାଆ ହାଇଦ୍ରାବାଦର ଇଟାଭାଟିରେ କାମ କରିବା ପାଇଁ ମନସ୍ତ କଲେ, କାମ ପାଇଁ ମଧ୍ୟ ଗଲେ । ହେଲେ ମାଆର ଅଗ୍ରୀମ ଟଙ୍କା ପାଇଁ ସେଠାରେ ବନ୍ଧା ପଡ଼ିଗଲା ସାନ ଝିଅ । ହଠାତ୍ ମାଆ ଅନାଦିଙ୍କ ଦେହ ଖରାପ ହେବାରୁ ସେ ମାଲିକ ଠାରୁ କିଛି ଅଗ୍ରୀମ ଆଣିଥିଲେ । ଅଗ୍ରୀମ ଟଙ୍କା ନେଇ ନିଜ ଗାଁକୁ ଚିକିତ୍ସା ପାଇଁ ଚାଲିଆସିଲେ । ଆଣିଥିବା ଟଙ୍କା ମୋ ସାନ ଝିଅ ସୁଝିବ । ଏହା କହି ମାଲିକ ପାଖାରେ ଝିଅକୁ ଛାଡ଼ି ଆସିଲା ମାଆ । ତେବେ ଘରକୁ ଆସିବା ପରେ ଅନାଦିଙ୍କ ଦେହ ବହୁତ ଖରାପ ହୋଇଥିଲା । ବଡ ଝିଅ ଧାର କରଜ କରି ମାଆର ଚିକିତ୍ସା କରାଇଲା । ହେଲେ ସତ ଚେଷ୍ଟା ପରେ ଶେଷରେ ୪ ତାରିଖରେ ଆଖି ବୁଜିଥିଲା ମାଆ ଅନାଦି ।
ମାଆକୁ ହରାଇ ଏକା ହୋଇପଡିଛି ବଡ ଝିଅ ପ୍ରିୟଙ୍କା । ଏହାସହ ବାହାର ରାଇଜରେ ଫସିଥିବା ସାନଭଉଣୀକୁ ଫେରାଇ ଅଣିବାକୁ ପ୍ରଶାସନକୁ ବାରମ୍ବାର ନେହୁରା ମଧ୍ୟ ହେଉଛି । ସେପଟେ ପ୍ରଶାସନ ତରଫରୁ ଅସହାୟ ପରିବାରକୁ ପ୍ରାଥମିକ ପର୍ଯ୍ୟାୟରେ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଯୋଗାଇ ଦିଆଯାଇଛି । ସେପଟେ ସରକାର ତଥା ପ୍ରଶାସନ ଏହି ପରିବାର ପ୍ରତି ସହାୟତାର ହାତ ବଢାଇବା ସହ ସାନ ଝିଅଙ୍କୁ ଫେରାଇ ଆଣିବାକୁ ଦାବି ହେଉଛି ।