ଭାଇ ଭାଇର ପ୍ରେମ: ବଡ଼ ଭାଇର ମୃତ୍ୟୁ ସହି ନପାରି ପାଗଳ ହୋଇଗଲା ସାନଭାଇ

ଯାଜପୁର: ବଡ଼ ଭାଇର ମୃତ ଦେଖି ସହିପାରିଲେନି ସାନଭାଇ । ପାଗଳ ହୋଇ ୧୦ ବର୍ଷ ହେବ ଗୋଟିଏ କଠୋରୀରେ ପଡି ରହିଛନ୍ତି । ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଆରୁହା ଗାଁରେ । ପାଗଳ ହୋଇଯାଇଥିବା ଯୁବକ ଜଣଙ୍କ ହେଲେ ଅଜୟ ଜେନା । ୧୭ ବର୍ଷ ବୟସର ହୋଇଥିଲା ବେଳେ ବୈତରଣୀ ନଦୀର ଭୟଙ୍କର ବନ୍ୟାରେ ଅଜୟଙ୍କ ବଡ ଭାଇ ବୁଡି ପ୍ରାଣ ହରାଇ ଥିଲେ । ଏସବୁ ନିଜ ଆଖିରେ ଦେଖି ସେବେଠୁ ମାନସିକ ଭାରସାମ୍ୟ ହରାଇଛନ୍ତି ଅଜୟ । କିଛି ଦିନ ତଳେ ବାପାଙ୍କ ମୃତ୍ଯ ପରେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

କରାଳ ବନ୍ୟା ସିନା ଚାଲିଗଲା କିନ୍ତୁ ଦେଇଗଲା ଅସହ୍ଯ ଦୁଃଖ । ଆଖି ଆଗରେ ବଡ ଭାଇ ବନ୍ୟା ଜଳରେ ବୁଡି ପ୍ରାଣ ହରାଇବା ଦେଖି ସହିପାରିଲାନି ସାନ ଭାଇ । ଝୁରି ଝୁରି ପାଗଳ ହୋଇ ଏବେ ଗୋଟିଏ କୋଠରିରେ ବନ୍ଧା ହୋଇ ପଡିରହିଛି ।

ମିଳିଥିବା ସୂଚନା ଅନୁସାରେ ଆରୁଆ ଗାଁର ଶତ୍ରୁଘ୍ନ ଜେନାଙ୍କ ଦୁଇ ପୁଅ । ବଡ ପୁଅ ମୃତ୍ଯ ପରେ ସାନ ପୁଅ ଅଜୟ ଏବେ ମାନସିକ ଭାରସାମ୍ୟ ହରାଇ ବସିଛି । ଏତିକିରେ ଏ ପରିବାର ଉପରୁ ଦୁଃଖ ଯାଇନି । କିଛି ଦିନ ତଳେ ଶତ୍ରୁଘ୍ନଙ୍କ ମୃତ୍ୟୁ ପରେ ପତ୍ନୀ ଏକା ହୋଇଯାଇଛନ୍ତି । ଘରେ କେହି ରୋଜଗାରିଆ ବ୍ୟକ୍ତି ନଥିବା ବେଳେ ପରିବାର କେମିତି ଚଳିବ, ଅଜୟଙ୍କ ଚିକିତ୍ସା କେମିତି ହେବ ସେହି ଚିନ୍ତାରେ ଘାରି ହେଉଛନ୍ତି ।

ଅଜୟକୁ ଭଲ କରିବାକୁ ଅର୍ଥ ସାଜିଛି ବାଧକ । ପ୍ରଶାସନ ପକ୍ଷରୁ ଆଜି ଯାଏଁ ଅଜୟଙ୍କୁ କୌଣସି ସହାୟତା ମିଳି ନଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ସରକାରୀ ସହଯୋଗ ପାଇଁ ପରିବାର ଲୋକଙ୍କ ସହ ପଡୋଶୀ ଦାବି କରିଛନ୍ତି । ସେପଟେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ଅଜୟଙ୍କୁ ଚିକିତ୍ସା କରିବାକୁ ଏକ ଡାକ୍ତରୀ  ଟିମ ତାଙ୍କ ଘରକୁ ପଠାଯିବ । ଆବଶ୍ୟକ ପଡିଲେ ତାକୁ ଅନ୍ୟତ୍ର ସ୍ଥାନାନ୍ତର କରି ଉତ୍ତମ ଚିକିତ୍ସା ପ୍ରଦାନ କରାଯିବ ।