ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ନିଜେ ଦିବ୍ୟାଙ୍ଗ ପାଲଟିଲେ ଯୁବତୀ

Pungi

କେନ୍ଦୁଝର: ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ନିଜେ ଶଯ୍ୟାଶାୟୀ ହେଲେ ଯୁବତୀ । ସାମାନ୍ୟ ଦୁର୍ଘଟଣା ତାଙ୍କୁ ଦିବ୍ୟାଙ୍ଗ କରିଦେଇଛି । ଯୌବନର ପାଦ ଦେଶରେ ଶଯ୍ୟାଶାୟୀ ହୋଇ ନିଜ ଅସୁମାରୀ ସ୍ୱପ୍ନକୁ ମନର କୋହ ଭିତରେ ଚାପିଧରି ବସିଛନ୍ତି ।

ଗାଁରେ ରଜ ପର୍ବ ପାଳନ ହେବ, ଢେର ମସ୍ତି ମଧ୍ୟ ହେବ । ଏହି ଆଶା ନେଇ ସମସ୍ତେ ରଜ ପର୍ବ ପାଇଁ ପ୍ରସ୍ତୁତି ଚଳାଇଥିଲେ । ଏହାରି ଭିତରେ କେନ୍ଦୁଝର ଜିଲ୍ଲା ଜଡିଚାତର ଗାଁର ପୁଙ୍ଗି ମୁଣ୍ଡା ମଧ୍ୟ ପ୍ରସ୍ତୁତିରେ ଲାଗିପଡ଼ିଥିଲେ । ହେଲେ କିଏ ଜାଣିଥିଲା ସେହି ରଜ ତାଙ୍କ ପାଇଁ ସାଜିବ କାଳ ।

ଦୋଳି କାଠ ପାଇଁ ସେ ଯାଇଥିଲେ ଜଙ୍ଗଲକୁ । ତାଙ୍କ ସହ ଆଉ ଦୁଇ ଜଣ ଛୋଟ ଛୁଆ ମଧ୍ୟ ଥିଲେ । ହଠାତ୍‌ ଏକ କାଠ ତାଙ୍କ ଉପରେ ପଡ଼ିଯିବାର ଦେଖି ପୁଙ୍ଗି ସେମାନଙ୍କୁ ରକ୍ଷା କରିବାକୁ ନିଜକୁ ବିପଦରେ ପକାଇଥିଲେ । ଛୋଟ ଛୁଆଙ୍କୁ ତ ସେ କାଠ ପଡ଼ିବାରୁ ବଞ୍ଚେଇଦେଲେ, ହେଲେ ନିଜେ ଦିବ୍ୟାଙ୍ଗ ପାଲଟିଗଲେ ।

ବାପା ମୃତ୍ୟୁବରଣ କରିଥିବା ବେଳେ ବିଧାବା ମା’ ଭରସାରେ ଦୀର୍ଘ ୧୦ ବର୍ଷ ହେବ ଶଯ୍ୟାଶାୟୀ ହୋଇ ଜୀବନ ବିତାଉଛି ପୁଙ୍ଗି । ମା’ର ଭତ୍ତା ଟଙ୍କା ଯାହା ମିଳେ ସେଥିରେ ଓଳିଏ ଖାଇ ଓଳିଏ ଉପାସ ରୁହନ୍ତି ଦୁହେଁ । ଏଭଳି ସ୍ଥିତିରେ ଝିଅର ଚିକିତ୍ସା ପାଇଁ ମାଆ ଅକ୍ଷମ ହୋଇଥିବାରୁ ସେ ସରକାରୀ ସାହାଯ୍ୟ ପାଇଁ ଗୁହାରୀ କରିଛି ।

   Pungi

ସେପଟେ ପୁଙ୍ଗିର ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ । ତେବେ ଜିଲ୍ଲା ପ୍ରଶାସନ ପୁଙ୍ଗିର ଚିକିତ୍ସା ପାଇଁ ସହଯୋଗ କଲେ ପୁଣି ଥରେ ପୁଙ୍ଗି ମୁହଁରେ ହସ ଫୁଟନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ଲୋକ ଆଶା ରଖିଛନ୍ତି ।

Leave a Reply