ପୋକ ଲାଗି ଯାଇଥିବା ଶବ ପାଖକୁ ଆସିଲେନି ପରିବାର କି ପଡୋଶୀ, କାନ୍ଧ ହେଲେ ସରପଞ୍ଚ

ନୟାଗଡ଼: ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତ ନୃସିଂହପୁର ଟାଙ୍ଗି ସାହି । ଦୁର୍ଗନ୍ଧରେ ଫାଟି ପଡୁଥିଲା ପୂରା ଗାଁ । ପଚା ଗନ୍ଧ କରୁଥିଲା ଅଥୟ । କାରଣ, ପଡ଼ି ରହିଥିଲା ଗାଁର ଜଣେ ବ୍ୟକ୍ତିଙ୍କ ଶବ । ମୃତ୍ୟୁ ପରେ ପରିବାର ଲୋକେ ଆସି ନଥିବାରୁ ଶବ ସତ୍କାର ହୋଇପାରି ନଥିଲା । ଶବ ପଡ଼ି ରହି ପୋକ ଲାଗି ଯିବାରୁ ଗାଁ ଲୋକେ ବି ଆସିଲେନି । ବିକୃତ ମାନସିକତା ଆଗରେ ହାରି ଯାଇଥିଲା ମାନବିକତା ।  ଶେଷରେ ଶବ ପାଇଁ ଦେବଦୂତ ସାଜି ଆଗେଇ ଆସିଲେ ରାଜ ସୁନାଖେଳା ଅଞ୍ଚଳର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ଆର୍ତ୍ତତ୍ରାଣ ପ୍ରଧାନ । ମୃତକଙ୍କୁ କେବଳ ସମ୍ମାନ ଦେଇ ନଥିଲେ, କାନ୍ଧ ଦେଇ ଶ୍ମଶାନ ନେଲେ ଓ ଶବ ଦାହ କରିଥିଲେ ।

ମୃତକ ଜଣଙ୍କ ହେଲେ କୃଷ୍ଣ । ଘର ନେପାଳରେ । ଯୁବାବସ୍ଥାରୁ ନୃସିଂହପୁର ଟାଙ୍ଗି ସାହିରେ ରହି ଆସୁଥିଲେ । କୌଣସି କାରଣରୁ ଗୋଡ଼ ପଚି ଯିବାରୁ ସବୁ କିଛି ଉଲଟ ପାଲଟ ହୋଇଯାଇଥିଲା । କୃଷ୍ଣଙ୍କୁ ଏକା ଏକା ଛାଡ଼ି ଚାଲିଯାଇଥିଲେ ପରିବାର ଲୋକେ । ମୃତ୍ୟୁ ପରେ ବି ପହଞ୍ଚିନଥିଲେ ଆତ୍ମୀୟ । ଗୋଟିଏ ପଟେ ସମ୍ପର୍କୀୟ ପର କରି ଦେଇଥିବା ବେଳେ ପଡ଼ୋଶୀ ବି ଆସିଲେନି । କାରଣ ମନରେ ଧାରଣା ଥିଲା ପୋକ ଲଗା ଶବକୁ ଛୁଇଁଲେ ପାପ ହେବ । ଆଜିର ଦିନରେ ଏମିତି ବିକୃତ ମାନବିକତା ରଖୁଥିବା ଲୋକଙ୍କୁ ଯୁବ ସରପଞ୍ଚଙ୍କ ସେବା ଉଚିତ ଜବାବ କହିଲେ ଭୁଲ ହେବନାହିଁ ।