ଦୁଇ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାଲେଶ୍ୱର/ମୟୂରଭଞ୍ଜ: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଠାବ । ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଧିନ ବଡ଼ପୋଖରୀ ଗ୍ରାମର ବିଲ ମଝିରେ ଥିବା ଏକ ବର ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସୋର ଥାନା ଅଧିନ ଛତରା ଗ୍ରାମର କମ୍ଭୁନାଥ ବେହେରାଙ୍କ ୩୨ବର୍ଷୀୟ ପୁଅ ଭାବଗ୍ରାହୀ ବେହେରା ବୁଧବାର ରାତ୍ରିରେ ବିଲ ମଝିରେ ଥିବା ଏହି ବର ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ଘରକୁ ବହୁ ସମୟ ଧରି ଭାବଗ୍ରାହି ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ବରଗଛରେ ତାଙ୍କ ମୃତଦେହ ଝୁଲୁଥିବା ନେଇ ସେ ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକ ଓ ଗ୍ରାମବାସୀ ଔପଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଔପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଭାବଗ୍ରାହୀଙ୍କ ମୃତ୍ୟୁ ହୋଇଛି, ସେନେଇ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।

ସେହିଭଳି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ରଘୁନାଥଗଞ୍ଜ ନଦୀ କୂଳ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣକ ହେଲେ ସେହି ଗ୍ରାମର ଜଗନ୍ନାଥ ପଲେଇଙ୍କ ପୁଅ ଆନନ୍ଦ ପଲେଇ(୩୦) । ପେଷାରେ ସେ ଜଣେ ମଟର ସାଇକେଲ ମିସ୍ତ୍ରୀ । ତାଙ୍କର ଝାଡ଼ଖଣ୍ଡ ଠାରେ ଏକ ଗ୍ୟାରେଜ ଅଛି । ସୂଚନା ଅନୁସାରେ ବୁଧବାର ରାତିରେ ସେହି ଗ୍ରାମର କିଛି ଯୁବକମାନଙ୍କ ସହ ନଦୀ କୂଳରେ ଭୋଜି କରିଥିଲେ । ସେଠାରେ ସେମାନେ ମଦ୍ୟପାନ ମଧ୍ୟ କରିଥିଲେ ।

ଅନ୍ୟପଟେ ଉକ୍ତ ଯୁବକଙ୍କର ଦୁଇଟି ସ୍ତ୍ରୀ ରହିଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ସହ ପାରିବାରିକ କହଳ ଯୋଗୁଁ ଯୁବକଙ୍କ ନାମରେ ମାମଲା ମଧ୍ୟ ରୁଜ୍ଜୁ ହୋଇଛି । କିଛି ଦିନ ପୂର୍ବରୁ ସେ ଜେଲରେ ମଧ୍ୟ ଥିଲେ । ଗତ ମାସ ୧୬ତାରିଖରେ ପ୍ରଥମ ସ୍ତ୍ରୀ ତାଙ୍କୁ ବେଲ୍‌ରେ ମୁକୁଳାଇଥିଲେ । ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି ।

Leave a Reply