ଉତୁରି ଗଲା ଟ୍ରେନରେ ଚଢି ସେଲଫି ନେବା ନିଶା: ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଯୁବକ ଗୁରୁତର

ବଲାଙ୍ଗିର: ସେଲଫି ଆଜିକାଲି ଯୁବବର୍ଗଙ୍କର ଏକ ଫ୍ୟାସନ ହୋଇଯାଇଛି । ଯେଉଁଠି ସୁଯୋଗ ପାଇଲେ ସେଲଫିଟେ ନେବାକୁ ଭୁଲନ୍ତି ନାହିଁ । ଏମିତି ବି ହୁଏ ସେଲଫିଟେ ନେବାକୁ ସମୟେ ସମୟେ ସ୍ଥାନ, କାଳ ପାତ୍ର ଭୁଲିଯାଆନ୍ତି ଓ ଜୀବନକୁ ବିପଦରେ ପକାଇ ଦେଇଥାନ୍ତି । ଏମିତି ଏକ ସେଲଫି ନେବାକୁ ଯାଇ ଜଣେ ଯୁବକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଆହତ ଯୁବକ ଜଣଙ୍କ ସୁବର୍ଣ୍ଣପୁର ଜିଲ୍ଲା ଖରଜୁରା ଗାଁର ଦୀପକ ମେହେର । ଲୋଇସିଂହା ରେଳ ଷ୍ଟେସନରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ ଉପରେ ଚଢି ସେଲଫି ନେବା ହୋଇଛି ତାଙ୍କ ପାଇଁ କାଳ । ରେଳ ଧାରଣା ଉପରେ ଯାଇଥିବା ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ଦୀପକ ଗୁରୁତର ଆହତ ହୋଇଚନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଦୀପକ ଗତକାଲି ସାଙ୍ଗମାନଙ୍କ ସହ ଲୋଇସିଂହା ନଅଗାଁ (ଖ) ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ । ଯାତ୍ରା ଦେଖି ସରିବା ପରେ ଲୋଇସିଂହା ରେଳ ଷ୍ଟେସନକୁ ସାଙ୍ଗମାନଙ୍କ ସହିତ ସେଲଫି ଉଠାଇବାକୁ ଯାଇଥିଲେ ।