ତେଲନଦୀକୁ ଡେଇଁଲେ ଦିବ୍ୟାଙ୍ଗ ଯୁବକ, ପ୍ରେମିକାଙ୍କ ପରିବାର ଲୋକେ ଗୁଣ୍ଡା ପଠାଇଥିବା ଭାବି ଡ଼େଇଁପଡ଼ିଲେ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଅଭାବନୀୟ ଘଟଣା । ତେଲନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ । ତୁଷୁରା ତେଲନଦୀ ବ୍ରିଜରେ ବାଇକ ରଖି ସେ ନଦୀକୁ ଡେଇଁ ପଡ଼ିଥିଲେ । ଯୁବକ ଜଣକ ହେଲେ ବେଲପଡ଼ା ବ୍ଲକ ଅଞ୍ଚଳର ସନ୍ତୋଷ ମିଶ୍ର । ସ୍ଥାନୀୟ ଯୁବକ ଓ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ତୁଷୁରା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ସନ୍ତୋଷ ଆଜି କୌଣସି କାମରେ ବଲାଙ୍ଗୀର ଆସିଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ପିଛା କରିଥିଲେ । ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ମାରିବାକୁ ଗୁଣ୍ଡା ପଠାଇଥିବା ଭାବି ସନ୍ତୋଷ ତୁଷୁରା ନଦୀ ପଟକୁ ଚାଲିଯାଇଥିଲେ । ତେବେ ଭୟରେ ମାନସିକ ଭାରସାମ୍ୟ ହରାଇ ସେ ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି ।

ସନ୍ତୋଷ ନଦୀକୁ ଡେଉଁଥିବା ଦେଖି ସେହି ରାସ୍ତା ଦେଇ ଯାଉଥିବା ଆମ୍ବୁଲାନ୍ସ ସେଠାରେ ଅଟକିଥିଲା । ନଦୀରେ ଗାଧୋଉଥିବା ଯୁବକଙ୍କ ସହାୟତାରେ ଆମ୍ବୁଲାନ୍ସ କର୍ମଚାରୀ ସନ୍ତୋଷଙ୍କୁ ଉଦ୍ଧାର କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରୁ ବାଇକ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

Leave a Reply