ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ, ତଳେ ପଡ଼ି ଛଟପଟ ହେଉଥିବା ବେଳେ ଉଦ୍ଧାର କଲେ ପରିବାର ଲୋକ

Crime Story

ଗଞ୍ଜାମ: ଦିଗପହଣ୍ଡି ବନ୍ଥପଲ୍ଲୀ ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସମ୍ପର୍କୀୟ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଏପରି ଆକ୍ରମଣ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳୁ ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମର ପଞ୍ଚୁ ଭୂଆଁ ଗାଧୋଇବାକୁ ଯାଉଥିବା ବେଳେ ୮ରୁ ୧୦ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ ।

ଖଣ୍ଡାରେ ଆକ୍ରମଣ ଫଳରେ ପଞ୍ଚୁଙ୍କ ମୁଣ୍ଡ, ଗୋଡ଼, ହାତରେ ଗଭୀର ଆଘାତ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ପଡି ଛଟପଟ ହେଉଥିବା ବେଳେ ପଞ୍ଚୁଙ୍କ ଭାଇ ଓ ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରିଛନ୍ତି । ପଞ୍ଚୁଙ୍କ ଉପରକୁ ପୂର୍ବରୁ ଗାଁର ଅନ୍ୟ ଏକ ଗୋଷ୍ଠୀ ୨ ଥର ବୋମା ମାଡ଼ କରିଥିଲେ ।

ଗତ ଅକକ୍ଟୋବର ୨୩ ତାରିଖରେ ଗାଁର ଅନ୍ୟ ଏକ ଗୋଷ୍ଠୀର ଯୁବକଙ୍କୁ ପଞ୍ଚୁଙ୍କ ଦୁଇ ଭାଇ କଙ୍ଗାରୁ ଓ କାଳିଆ ହତ୍ୟା କରିବା ଅଭିଯୋଗରେ ବର୍ତ୍ତମାନ ଜେଲରେ ରହିଛନ୍ତି । ଏଣୁ ସେହି ହତ୍ୟାର ପ୍ରତିଶୋଧ ନେବାକୁ ଆଜି ଏପରି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଆକ୍ରମଣ କରିଥିବା ଯୁବକଙ୍କ ପରଚୟ ମିଳି ନଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

Leave a Reply