ସେଲଫି ହେଲା କାଳ, ପାଣିରେ ବୁଡ଼ି ଯୁବ ଇଞ୍ଜିନିୟର ମୃତ

ବଘିଆପଡା (ବୌଦ୍ଧ): ବାରମ୍ବାର ସେଲଫିକୁ ନେଇ ସଚେତନ କରାଯାଉଥିବା ବେଳେ ମଧ୍ୟ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ । ପ୍ରତିବର୍ଷ ସେଲଫି ନେବା ସମୟରେ ଅସାବଧାନତା କାରଣରୁ ଯାଉଛି ଏକାଧିକ ଜୀବନ । ନିକଟରେ ସେହିଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଯୁବକଙ୍କ ପାଇଁ ସେଲଫି ସାଜିଛି କାଳ । ସେଲଫି ନେଉଥିବା ସମୟରେ ପାଣିରେ ବୁଡ଼ି ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ତାମିଲନାଡୁର ଆର. ମୁକୁନ୍ଦମ । ବୌଦ୍ଧ ବଘିଆପଡ଼ା ଫାଣ୍ଡି ପାଲଝାର ଡ୍ୟାମରେ ସେଲଫି ନେବାବେଳେ ଘଟିଛି ଏ ଅଭାବନୀୟ ଘଟଣା ।

 
୩ ସହଯୋଗୀଙ୍କ ସହ ଆର.ମୁକୁନ୍ଦମ ଡ୍ୟାମରେ ସେଲଫି ନେଉଥିବା ବେଳେ, ଅସାବଧାନତାବଶତଃ ତାଙ୍କ ମୋବାଇଲ ଖସିପଡ଼ିଥିଲା । ଯାହାପରେ ମୋବାଇଲ ଆଣିବାକୁ ଯାଇ ହଠାତ୍ ପାଣିକୁ ଡେଇଁ ପଡ଼ିଥିଲେ ମୁକୁନ୍ଦମ । ଦୀର୍ଘ ସମୟ ଧରି ସେ ପାଣିରୁ ନବାହାରିବାରୁ ଅଗ୍ନିଶମ ଓ ଓଡ୍ରାଫବାହିନୀଙ୍କୁ ଖବର ଦେଇଥିଲେ ମୁକୁନ୍ଦମଙ୍କ ଦୁଇ ସହଯୋଗୀ । ପରେ ବହୁ ଖୋଜାଖୋଜି କରିବା ପରେ ଦୀର୍ଘ ୧ କିମି ଦୂରରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ମୃତ ମୁକୁନ୍ଦମ ଅନୁଗୁଳ ଜିଲ୍ଲା କୁମ୍ଭୀଆର ମେଗା ଲିଫ୍ଟ ପ୍ରୋଜେକ୍ଟ କାମରେ ନିୟୋଜିତ ଥିଲେ ।

Leave a Reply