ଏହି ଦିନ ଶପଥ ନନେଲେ ମାସେ ମୁଖ୍ୟମନ୍ତ୍ରୀ ହୋଇପାରିବେନି ଯୋଗୀ

ବାରଣାସୀ: ଉତ୍ତରପ୍ରଦଶ ନିର୍ବାଚନରେ ବିଜେପିକୁ ମିଳିଛି ବହୁଳ ସଫଳତା । ମ୍ୟାଜିକ୍ ନମ୍ବରଠାରୁ ଢେର ଆସନରେ ବିଜୟୀ ହୋଇ ବିଜେପି ଆରମ୍ଭ କରିବାକୁ ଯାଉଛି 2.0 ସରକାର । ୪୦୩ ଆସନରୁ ବିଜେପି ୨୭୩ ଆସନରେ ଜିତିଛି । ଏବେ ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତଙ୍କ ଶପଥ ଗ୍ରହଣ ଉପରେ । କେବେ ଯୋଗୀ ଶପଥ ନେବେ ତାକୁ ଅନାଇ ବସିଛନ୍ତି ସମର୍ଥକ । ହେଲେ ଯୋଗୀଙ୍କ ଶପଥକୁ ନେଇ ସସପେନ୍ସ ଲାଗି ରହିଛି । ଯାହା ଦେଶବ୍ୟାପୀ ବିଜେପି କର୍ମୀଙ୍କୁ ବ୍ୟାକୁଳ କରିବାରେ ଲାଗିଛି ।

ଯୋଗୀ ପ୍ରଭୁ ରାମଙ୍କ ପରମ ଭକ୍ତ ଓ ଜ୍ୟାତିଷଶାସ୍ତ୍ର ଉପରେ ବହୁତ ବିଶ୍ବାସ କରିଥାନ୍ତି । ଜ୍ୟୋତିଷଶାସ୍ତ୍ରକୁ ବିଚାରକୁ ନେଲେ ଯୋଗୀଙ୍କ ପାଇଁ ଦୁଇଦିନ ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଶୁଭ ମୁର୍ହୂତ୍ତ ରହିଛି । ଯଦି ଏହି ଦିନ ଯୋଗୀ ଶପଥ ନେଇ ନପାରୁଛନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଆହୁରି ମାସେ ଅପେକ୍ଷା କରିବାକୁ ପଡିପାରେ ।

ବାରଣାସୀର ଜ୍ୟୋତିଷଙ୍କ ଅନୁସାରେ ମାର୍ଚ୍ଚ ୧୪ରେ ପଡୁଛି ରଙ୍ଗଭରା ଏକାଦଶୀ । ଏହିଦିନ ଦୁଇଟି ସମୟ ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଶୁଭ ମୁର୍ହୂତ୍ତ ରହିଛି । କାଶୀ ବିଶ୍ବନାଥ ମନ୍ଦିର ଟ୍ରଷ୍ଟି ତଥା ଜ୍ୟୋତିଷ ବିଶାରଦ ପଣ୍ଡିତ ଦୀପକ ମାଲବିୟଙ୍କ ଅନୁସାରେ ୧୪ ମାର୍ଚ୍ଚ ସକାଳେ କିମ୍ବା ସନ୍ଧ୍ୟାରେ ଯୋଗୀ ଶପଥ ନେବାକୁ ଉତ୍ତମ ସମୟ ରହିଛି ।

ପଣ୍ଡିତ ଦୀପକଙ୍କ ଅନୁସାରେ ୧୪ ମାର୍ଚ୍ଚରେ ଶପଥ ନନେଲେ ଯୋଗୀଙ୍କୁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । କାରଣ ୧୪ ଓ ୧୫ ତାରିଖ ମଧ୍ୟରାତ୍ରୀରୁ ମଳମାସ ଆରମ୍ଭ ହେଉଛି । ପଣ୍ଡିତ ଦୀପକଙ୍କ ଅନୁସାରେ ମାର୍ଚ୍ଚ ୧୪ ଦିନ ସାଢେ ୧୧ଟାରୁ ସାଢେ ୧୨ଟା ମଧ୍ୟରେ ଅଭିଜାତ ମୁର୍ହୂତ୍ତ ରହୁଛି । ଏହାକୁ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ମନା ଯାଇଥାଏ । ଏହି ମୁର୍ହୂତ୍ତରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ହୋଇଥିଲା ।

ସେହିପରି ଏହିଦିନ ଅପରାହ୍ଣ ୩ଟା ୪୯ ମିନିଟରୁ ସନ୍ଧ୍ୟା ୬ଟା ୩ ମିନିଟ ମଧ୍ୟରେ ସିଂହ ଲଗ୍ନ ରହୁଛି । ଯାହା ଶପଥ ଗ୍ରହଣ ପାଇଁ ଉତ୍ତମ ସମୟ । ଦୀପକଙ୍କ ଅନୁସାରେ ସକାଳ ୧୦ଟାରୁ ୪୭ ମିନିଟ ପର୍ଯ୍ୟନ୍ତ ଭଦ୍ରା ସମୟ ରହୁଛି । ଯେଉଁଥିରେ କୌଣସି ଶୁଭ କାମ କରାଯାଇନଥାଏ । ୧୪ରୁ ୧୫ ତାରିଖ ରାତି ୨ଟା ୧୦ ମିନିଟରୁ ସୂର୍ଯ୍ୟଦେବ ମୀନ ରାଶିରେ ପ୍ରବେଶ କରୁଛନ୍ତି ଓ ମାସ ପର୍ଯ୍ୟନ୍ତ ମଳମାସ ଆରମ୍ଭ ହେଉଛି । ଏହି ସମୟରେ କୌଣସି ଶୁଭ କାମ କରାଯାଉ ନଥିବାରୁ ଯୋଗୀ ଶପଥ ନେବାକୁ ଇଚ୍ଛା ପ୍ରକାଶ କରିନପାରନ୍ତି ।