ଭୁଲ ମାନିଲା ଉତ୍ତର ପ୍ରଦେଶ ପୋଲିସ: ବାଣ ବେପାରୀଙ୍କୁ ଗିରଫ ବେଳେ ମାନବିକତାକୁ ଭୁଲି ଯାଇଥିଲା ପୋଲିସ

1 min read

ଉତ୍ତରପ୍ରଦେଶ: ଦୀପାବଳୀରେ ବାଣ ଫୁଟାଇବା ବ୍ୟାନ ହେବାପରେ ମଧ୍ୟ ନିୟମକୁ ଉଲଙ୍ଘନ କରି ବାଣ ବିକ୍ରି କରିବାରୁ ଜଣେ ବ୍ୟକ୍ତିଙ୍କୁ ଏହା ମହଙ୍ଗା ପଡ଼ିଛି । ଘଟଣା ବିଷୟରେ ପୋଲିସକୁ ସୂଚନା ମିଳିବା ପରେ ସିଧାସଳଖ ଦୋକାନୀ ଜଣଙ୍କୁ ନେଇ ଯାଇଥିଲେ ପୋଲିସ ଅଧିକାରୀ । କିନ୍ତୁ ଘଟଣା ସ୍ଥଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଣ ବେପାରୀଙ୍କ କୁନି ଝିଅ ପରିସ୍ଥିତିକୁ ସହ୍ୟ କରିନପାରି ପୋଲିସ ଗାଡ଼ିରେ ବାରମ୍ବାର ମୁଣ୍ଡ ପିଟିବାକୁ ଲାଗିଲା ଏବଂ ବାପାଙ୍କୁ ଛାଡ଼ିଦିଅ ବୋଲି ଅଳି କଲା ।

ଘଟଣା ଉତ୍ତରପ୍ରଦେଶର ବୁଲନ୍ଦ ସହର। ଜଣେ ବାଣ ବେପାରୀଙ୍କୁ ହଠାତ୍‌ଏକ ପୋଲିସ ଗାଡ଼ି ଆସି ଥାନାକୁ ନେଇ ଯାଉଛି । ଲୋକଙ୍କ ଭିଡ଼ ମଧ୍ୟ ଜମିଛି । ତା ସାଙ୍ଗକୁ କୁନି ଝିଅଟିଏ ଚିତ୍କାର କରି କାନ୍ଦି କାନ୍ଦି ବାପାଙ୍କୁ ଛାଡ଼ିଦିଅ ବୋଲି ପୋଲିସକୁ ନିବେଦନ କରୁଛି । କିନ୍ତୁ ପୋଲିସ ବାବୁ କିଛି ଶୁଣୁ ନାହାଁନ୍ତି । ହାତଧରି ଟାଣି ନେଉଛନ୍ତି । ଆଉ ଏହି ଭିଡ଼ିଓ ସୋସିଅଲ ମିଡିଆରେ ଖୁବ ଭାଇରାଲ ହୋଇଛି । କଥା ସେତିକିରେ ଅଟକି ନାହିଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ମଧ୍ୟ ପହଞ୍ଚିଛି ଏହି ଭିଡ଼ିଓ ।


ବାଣ ବେପାରୀ ଜଣଙ୍କୁ ଖୁର୍ଜା ପୋଲିସ ଉଠାଇନେବା ସମୟର ଭିଡ଼ିଓ ସୋସିଅଲ ମିଡିଆରେ ଖୁବ ଭାଇରାଲ ହେଉଛି। ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ସାଜିଛି କୁନି ଝିଅଟିର ଚିତ୍କାର କରି କାନ୍ଦିବା ଘଟଣା ଏବଂ ପୋଲିସର ଅମାନୁଷିକ ବ୍ୟବହାର । ଏହି ଭିଡ଼ିଓକୁ ଦେଖିବା ମାତ୍ରେ କୌଣସି ବ୍ୟକ୍ତି ମନରେ ଏକ ଭିନ୍ନ ପ୍ରକାରର ଦୃଶ୍ୟ ଆଙ୍କି ହୋଇଯିବ । ତାହା ମଧ୍ୟ ଘଟିଥିଲା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନରେ । ପୋଲିସର ଏଭଳି ବ୍ୟବହାରକୁ ନେଇ ପୋଲିସ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ ।

କେବଳ ସେତିକିରେ ଘଟଣାରେ ପୂର୍ଣ୍ଣଛେଦ ପଡ଼ିନଥିଲା ବରଂ ସରକାରଙ୍କ ନିର୍ଦ୍ଦେଶକ୍ରମେ ବେପାରୀ ଜଣଙ୍କୁ ପୋଲିସ ଛାଡ଼ିଦେବା ସହ ଖୁର୍ଜା ଏସଡିଏମ ଏବଂ ସିଓ ଉକ୍ତ ବାଣ ବେପାରୀଙ୍କ ଘରେ ପହଞ୍ଚି କୁନି ଝିଅ ଡିମ୍ପି ସହିତ ଦୀପାବଳି ପାଳନ କରିଛନ୍ତି । କୁନି ଝିଅଟିର ପୋଲିସ ପ୍ରତି ନକରାତ୍ମକ ଚିନ୍ତାଧାରା ସୃଷ୍ଟି ନ ହେଉ ତାହାକୁ ନଜରରେ ରଖି ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ଏହା ସହିତ ଉକ୍ତ ଘଟଣା ପାଇଁ ସେ ଦୁଃଖିତ ଥିବା ମଧ୍ୟ ପ୍ରକାଶ କରିଛନ୍ତି ।

Leave a Reply