ଭୁଲ ମାନିଲା ଉତ୍ତର ପ୍ରଦେଶ ପୋଲିସ: ବାଣ ବେପାରୀଙ୍କୁ ଗିରଫ ବେଳେ ମାନବିକତାକୁ ଭୁଲି ଯାଇଥିଲା ପୋଲିସ
1 min readଉତ୍ତରପ୍ରଦେଶ: ଦୀପାବଳୀରେ ବାଣ ଫୁଟାଇବା ବ୍ୟାନ ହେବାପରେ ମଧ୍ୟ ନିୟମକୁ ଉଲଙ୍ଘନ କରି ବାଣ ବିକ୍ରି କରିବାରୁ ଜଣେ ବ୍ୟକ୍ତିଙ୍କୁ ଏହା ମହଙ୍ଗା ପଡ଼ିଛି । ଘଟଣା ବିଷୟରେ ପୋଲିସକୁ ସୂଚନା ମିଳିବା ପରେ ସିଧାସଳଖ ଦୋକାନୀ ଜଣଙ୍କୁ ନେଇ ଯାଇଥିଲେ ପୋଲିସ ଅଧିକାରୀ । କିନ୍ତୁ ଘଟଣା ସ୍ଥଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଣ ବେପାରୀଙ୍କ କୁନି ଝିଅ ପରିସ୍ଥିତିକୁ ସହ୍ୟ କରିନପାରି ପୋଲିସ ଗାଡ଼ିରେ ବାରମ୍ବାର ମୁଣ୍ଡ ପିଟିବାକୁ ଲାଗିଲା ଏବଂ ବାପାଙ୍କୁ ଛାଡ଼ିଦିଅ ବୋଲି ଅଳି କଲା ।
ଘଟଣା ଉତ୍ତରପ୍ରଦେଶର ବୁଲନ୍ଦ ସହର। ଜଣେ ବାଣ ବେପାରୀଙ୍କୁ ହଠାତ୍ଏକ ପୋଲିସ ଗାଡ଼ି ଆସି ଥାନାକୁ ନେଇ ଯାଉଛି । ଲୋକଙ୍କ ଭିଡ଼ ମଧ୍ୟ ଜମିଛି । ତା ସାଙ୍ଗକୁ କୁନି ଝିଅଟିଏ ଚିତ୍କାର କରି କାନ୍ଦି କାନ୍ଦି ବାପାଙ୍କୁ ଛାଡ଼ିଦିଅ ବୋଲି ପୋଲିସକୁ ନିବେଦନ କରୁଛି । କିନ୍ତୁ ପୋଲିସ ବାବୁ କିଛି ଶୁଣୁ ନାହାଁନ୍ତି । ହାତଧରି ଟାଣି ନେଉଛନ୍ତି । ଆଉ ଏହି ଭିଡ଼ିଓ ସୋସିଅଲ ମିଡିଆରେ ଖୁବ ଭାଇରାଲ ହୋଇଛି । କଥା ସେତିକିରେ ଅଟକି ନାହିଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ମଧ୍ୟ ପହଞ୍ଚିଛି ଏହି ଭିଡ଼ିଓ ।
In UP’s Bulandshahar district, police crackdown against vendors selling crackers, despite ban, in a busy market in Khurja area. Bulandshahar is among 13 of the cities in state where there is blanket ban on crackers. pic.twitter.com/owFO1pqZPo
— Piyush Rai (@Benarasiyaa) November 13, 2020
ବାଣ ବେପାରୀ ଜଣଙ୍କୁ ଖୁର୍ଜା ପୋଲିସ ଉଠାଇନେବା ସମୟର ଭିଡ଼ିଓ ସୋସିଅଲ ମିଡିଆରେ ଖୁବ ଭାଇରାଲ ହେଉଛି। ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ସାଜିଛି କୁନି ଝିଅଟିର ଚିତ୍କାର କରି କାନ୍ଦିବା ଘଟଣା ଏବଂ ପୋଲିସର ଅମାନୁଷିକ ବ୍ୟବହାର । ଏହି ଭିଡ଼ିଓକୁ ଦେଖିବା ମାତ୍ରେ କୌଣସି ବ୍ୟକ୍ତି ମନରେ ଏକ ଭିନ୍ନ ପ୍ରକାରର ଦୃଶ୍ୟ ଆଙ୍କି ହୋଇଯିବ । ତାହା ମଧ୍ୟ ଘଟିଥିଲା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନରେ । ପୋଲିସର ଏଭଳି ବ୍ୟବହାରକୁ ନେଇ ପୋଲିସ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ ।
କେବଳ ସେତିକିରେ ଘଟଣାରେ ପୂର୍ଣ୍ଣଛେଦ ପଡ଼ିନଥିଲା ବରଂ ସରକାରଙ୍କ ନିର୍ଦ୍ଦେଶକ୍ରମେ ବେପାରୀ ଜଣଙ୍କୁ ପୋଲିସ ଛାଡ଼ିଦେବା ସହ ଖୁର୍ଜା ଏସଡିଏମ ଏବଂ ସିଓ ଉକ୍ତ ବାଣ ବେପାରୀଙ୍କ ଘରେ ପହଞ୍ଚି କୁନି ଝିଅ ଡିମ୍ପି ସହିତ ଦୀପାବଳି ପାଳନ କରିଛନ୍ତି । କୁନି ଝିଅଟିର ପୋଲିସ ପ୍ରତି ନକରାତ୍ମକ ଚିନ୍ତାଧାରା ସୃଷ୍ଟି ନ ହେଉ ତାହାକୁ ନଜରରେ ରଖି ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ଏହା ସହିତ ଉକ୍ତ ଘଟଣା ପାଇଁ ସେ ଦୁଃଖିତ ଥିବା ମଧ୍ୟ ପ୍ରକାଶ କରିଛନ୍ତି ।