ଆଜିଠୁ କଲବଲ କରିବ ଘନ କୁହୁଡ଼ି
ଭୁବନେଶ୍ବର: ଶୀତରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଏହାସହ କୁହୁଡ଼ି ବଢ଼ାଇଛି ସମସ୍ୟା । ଆଉ ଏହାରି ଭିତରେ ଘନ କୁହୁଡ଼ି ଆହୁରି କଲବଲ କରିବ ବୋଲି ଜଣଶପଡିଛି । ଆଜିଠାରୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଯିବନି ରାସ୍ତା । ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ କୁହୁଡିର ରାଜ୍ । ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ ଓ କୋରାପୁଟ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅବସ୍ଥା ସୃଷ୍ଟି ହୋଇପାରେ । ଏହାସହ ଝାରସୁଗୁଡା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଫଳରେ ପ୍ରଭାବିତ ହେବ ପରିବହନ ସେବା । ଏଥିପାଇଁ ରାତି ୨ଟାରୁ ସକାଳ ୧୦ ଟା ମଧ୍ୟରେ ଘାଟି ରାସ୍ତା ଓ ଦୁର୍ଘଟଣା ପ୍ରବଣ ଜୋନ୍ ଉପରେ ସ୍ବତନ୍ତ୍ର ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି ।
ସେପଟେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବ ତାପମାତ୍ରା । ଅଧିକାଂଶ ଜିଲ୍ଲାରେ ୨ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢିବ । ଫଳରେ ତାପମାତ୍ରା ଉପରମୁହାଁ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ୩ ଦିନ ପରେ ରାଜ୍ୟରେ ପୁଣି ଶୀତ ବଢିବ । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ଶୀତ ଲହରୀ ଅନୁଭୂତ ହୋଇପାରେ ।