ରାଜ୍ୟରେ ଜାରି ରହିଛି ଖରାବର୍ଷାର ଲୁଚକାଳୀ ଖେଳ, ୧୭ ପର୍ଯ୍ୟନ୍ତ ଜାରି ରହିବ ଏଭଳି ପାଗ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଖରା ବର୍ଷାର ଲୁଚକାଳୀ ଖେଳ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହୁଥିବାବେଳେ ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢିବା ସହିତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୧୫ରୁ ବର୍ଷାର ପରିମାଣ ବଢ଼ିବ । ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି  କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ୮ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ପାଇଁ ସତର୍କତା ଜାରି ହୋଇଛି । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ୩ ଦିନ ମଧ୍ୟରେ ତାତି ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଏଣୁ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଜରୁରୀ କାମ ନ ଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।