ବଦଳୁଛି ପାଣିପାଗର ମିଜାଜ୍, କାଳବୈଶାଖୀ ବର୍ଷା ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ପୁଣି ସକ୍ରିୟ ହେଲା ପଶ୍ଚିମା ଝଡ଼ । ରାଜ୍ୟରେ ଆରମ୍ଭ ହେଲା ପାଣିପାଗର ଲୁଚକାଳି ଖେଳ । ପାଣିପାଗର ମିଜାଜରେ ଆସିଛି ପରିବର୍ତ୍ତନ । କେଉଁଠି ବର୍ଷା ତ ଆଉ କେଉଁଠି କଲବଲ କରୁଛି ଖରା । ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ । ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିଛି ପାରଦ । ତେବେ ଉପକୂଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ମିଳିଛି ଆଶ୍ୱସ୍ତି ।

ଅନେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଏଥିପାଇଁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ତେବେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ । ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି । ଘଡଘଡି ବିଜୁଳି ସହ ବର୍ଷା ପାଇଁ ଆଜି ୫ଟି ଜିଲ୍ଲା ଯଥା ରାୟଗଡା, ଗଜପତି, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ ଜାରି କରାଯାଇଛି ୟେଲୋ ଆଲର୍ଟ ।