ଦକ୍ଷିଣ ଓଡ଼ିଶାରେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା, ୨୦ ତାରିଖ ଯାଏଁ ଜାରି ରହିବ

ଭୁବନେଶ୍ୱର: ହାଲକା ବର୍ଷାରେ ଭିଜୁଛି ଓଡ଼ିଶା । ଟ୍ରପ ଲାଇନ୍ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆଜି ଲଘୁଚାପର ରୂପ ନେବ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ । ଲଘୁଚାପର ସିଧାସଳଖ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ କୋହଲିଆ ରହିବ ।

ଆଜିଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, କଟକ ଏବଂ ଯାଜପୁରରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୧ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ହେବ । ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଞ୍ଜାମ, ଗଜପତି, କୋରାପୁଟ ଏବଂ ରାୟଗଡା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଆଜି ଭୁବନେଶ୍ୱର କଟକ ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ବର୍ଷା ପାଇଁ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ହୋଇ ଥିବାରୁ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ବୃଦ୍ଧି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଟିଭି ଦେଖୁଥିଲେ ଶାଶୂୂବୋହୂ, ଗୁଳିମାଡ଼ କରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

Leave a Reply