ପଶ୍ଚିମା ଝଡ଼ର ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ଆଜି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ଭିଜୁଛି ଉପାନ୍ତରୁ ଉପକୂଳ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ଯୋଗୁ ଯାନବାହନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଛି । ସେହିପରି ଦୃଶ୍ୟମାନ କ୍ଷମତା ମଧ୍ୟ ହ୍ରାସ ପାଇଛି । ଅନ୍ୟପଟେ ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ଲାଗି ରହିଛି ବର୍ଷା । ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ତାଣ୍ଡବ ରଚିବ କାଳବୈଶାଖୀ । ଗୋଟିଏ ପଶ୍ଚିମା ଝଡ଼ ଦୁର୍ବଳ ହେଉଥିବା ବେଳେ ଆସନ୍ତାକାଲି ଆସୁଛି ଆଉ ଏକ ପଶ୍ଚିମା ଝଡ଼। ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉତ୍ତର, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଅଧିକ ପ୍ରଭାବିତ ହେବ।

ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୦ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ଆସନ୍ତାକାଲି ୧୦ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ୩୦ରେ ୧୪ଟି ଜିଲ୍ଲାରେ ବର୍ଷାପବନ ହେବ ବୋଲି ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି ସୃଷ୍ଟି ହେବାକୁ ଥିବା ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ ୩୧ ତାରିଖରେ ରହିବ। ଏଥିପାଇଁ ୩୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ପାଇଁ ଉପକୂଳ ଓଡ଼ିଶାର ୧୨ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।