ସ୍ମୃତିରେ ୨୦୨୧ : ଟୋକିଓରେ ଭାରତର ସୁନେଲି ସଫଳତା

ଭୁବନେଶ୍ୱର: କରୋନା କାଳର ଦ୍ୱିତୀୟ ଅଙ୍କ ୨୦୨୧ ବିତିବାକୁ ଆଉ ମାତ୍ର କେଇଦିନ ବାକି । କରୋନାର କଳାଛାଇ ଜୀବନ,ଜୀବିକା ସହିତ ଖେଳ ଉପରେ ମଧ୍ୟ ପଡିଛି । ୨୦୨୦ ଅଲମ୍ପିକ୍ସ ଗୋଟିଏ ଭାଇରସ ପାଇଁ ବାତିଲ ହୋଇଥିଲା । ତେବେ ସେଇ ଭାଇରସର ଆତଙ୍କ ଭିତରେ ୨୦୨୧ରେ ଟୋକିଓ ଅଲମ୍ପିକ୍ସ ଅନୁଷ୍ଠିତ ମଧ୍ୟ ହୋଇଥିଲା । କ୍ରୀଡା ମହାକୁମ୍ଭ ଅଲମ୍ପିକ୍ସ ଭାରତ ପାଇଁ ଆଣିଥିଲା ଖୁସୀ ଖବର । ହକିରେ ୪୦ ବର୍ଷ ପଦକ ମରୁଡିର ଅନ୍ତ ୨୧ରେ ଘଟିଥିଲା । ପୁଣି ନିରଜ ଚୋପ୍ରା ପ୍ରଥମ ଥର ପାଇଁ ଭାରତକୁ ଦେଇଥିଲେ ବ୍ୟକ୍ତିଗତ ଆଥଲେଟିକ୍ସ ପଦକ । ଓଡ଼ିଶା ପାଇଁ ବି ୨୧ର କ୍ରୀଡା କ୍ୟାଲେଣ୍ଡର ଥିଲା ଆଶା ଓ ନିରାଶର ଲେଖାଯୋଖା । ଆସନ୍ତୁ ନଜର ପକାଇବା ୨୧ କ୍ରୀଡା କ୍ୟାଲେଣ୍ଡରରେ କ’ଣ ଥିଲା ହିଟ୍ ,କ’ଣ ଥିଲା ମିସ୍….

୨୧ର ସୁନାପୁଅ

କରୋନାର ଭୟ ଓ ନିରାଶା ଭିତରେ ଆଶାର ଆଲୋକ ଭାବେ ଉଭା ହୋଇଥିଲା ଟୋକିଓ ଅଲିମ୍ପିକ୍ସ। ଏଥିରେ ୧ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୪ କାଂସ୍ୟ ପଦକ ସହ ୪୮ତମ ସ୍ଥାନ ଅଧିକାର କରିଥିଲା ଭାରତ। ଯାହା ଥିଲା ଭାରତର ସର୍ବଶ୍ରେଷ୍ଠ ଅଲିମ୍ପିକ୍ସ ପ୍ରଦର୍ଶନ। ଭାରତକୁ ମିଳିଥିବା ଏକମାତ୍ର ସ୍ୱର୍ଣ୍ଣ ପଦକ ଆଣିଥିଲେ ଜାଭଲିନ ଷ୍ଟାର ନିରଜ ଚୋପ୍ରା । ୮୭.୫୮ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗି ସମସ୍ତଙ୍କୁ ଚକିତ କରିଦେଇଥିଲେ ନିରଜ। ନୀରଜଙ୍କ ଏହି ସୁନେଲି ସଫଳତା ପରେ ଭାରତରେ ଜାଭଲିନ ଖେଳର ହୋଇଥିଲା ପୁନର୍ଜନ୍ମ । ଏପରିକି ନୀରଜ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ହାସଲ କରିଥିବା ଦିନକୁ ଅର୍ଥାତ ଅଗଷ୍ଟ ୭ ତାରିଖକୁ ଜାତୀୟ ଜାଭଲିନ୍ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ।

ନିରଜଙ୍କ ବ୍ୟତୀତ ଆହୁରି ଅନେକ ଭାରତୀୟ ଖେଳାଳି ଦେଶ ପାଇଁ ଆଣିଥିଲେ ଗୌରବ । ଟୋକିଓ ଅଲିମ୍ପିକ୍ସ ୨୦୨୦ର ପ୍ରଥମ ଦିନରେ ଦେଶକୁ ରୌପ୍ୟ ପଦକ ଜିତାଇଥିଲେ ମୀରାବାଈ ଚାନୁ। ଭାରୋତ୍ତଳନରେ ସେ ୪୯ କେ.ଜି ମହିଳା ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ । ସେହିଭଳି କୁସ୍ତିରେ ରବିକୁମାର ଦାହିୟା ରୌପ୍ୟ ଓ ବଜରଙ୍ଗ ପୁନିଆ କାଂସ୍ୟ, ବ୍ୟାଡମିଣ୍ଟନ୍ରେ ପିଭି ସିନ୍ଧୁ କାଂସ୍ୟ, ବକ୍ସିଂରେ ଲଭଲିନା ବର୍ଗୋହାଁ କାଂସ୍ୟ ପଦକ ଜିତି ସମଗ୍ର ଦେଶକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିଥିଲେ।

ହକିର ପଦକ ମରୁଡ଼ି ଅନ୍ତ

କ୍ରିକେଟ୍ ପାଗଳ ଦେଶରେ ହକିର କ୍ରେଜ୍ ୨୦୨୧ରେ ଫେରିଥିଲା କହିଲେ ଭୁଲ ହେବ ନାହିଁ । କାରଣ ୧୯୮୪ର ମସ୍କୋ ଅଲମ୍ପିକ୍ସ ପରେ ଭାରତୀୟ ଟିମ୍ ପ୍ରଥମ ଥର ପାଇଁ ପଦକ ପାଇଥିଲା । ଦୀର୍ଘ ବର୍ଷ ପରେ ଭାରତୀୟ ହକି ପ୍ରେମୀଙ୍କ ପାଖରେ ଉତ୍ସବ ମନାଇବାର ବାହାନା ଥିଲା । ପୁଣିଥରେ ପ୍ରତ୍ୟେକଟି ଭାରତୀୟଙ୍କ ହୃତ୍ସ୍ପନ୍ଦନ ପାଲଟିଯାଇଥିଲା ହକି । ଘରେ ଘରେ ହକିକୁ ନେଇ ଦେଖିବାକୁ ମିଳିଥିଲା ଉତ୍ସାହ। କେବଳ ଏତିକି ନୁହେଁ ଟୋକିଓ ଅଲିମ୍ପିକ୍ସର ପ୍ରଦର୍ଶନ ଆଧାରରେ ଭାରତୀୟ ପୁରୁଷ ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ମିଳିଥିଲା ଅର୍ଜୁନ ପୁରସ୍କାର।

ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଓଡ଼ିଶାକୁ ପ୍ରଥମ ଅଲିମ୍ପିକ୍ସ ପଦକ ଆଣିଥିଲେ । ଭାରତୀୟ ହକିର ପଦକ ବିଜୟର ଶ୍ରେୟ ସାରା ଦେଶ ଓଡ଼ିଶାକୁ ଓ ହକି ପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିଲା । କାରଣ କେବଳ ଭାରତୀୟ ହକି ଦଳ ପ୍ରାୟୋଜକ ଭାବେ ନୁହେଁ, ଏହାର ଭିତ୍ତିଭୂମିକୁ ସୁଦୃଢ କରିବା ଠାରୁ ଆରମ୍ଭ କରି ହକିକୁ ଲୋକପ୍ରିୟ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଅତୁଳନୀୟ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଏହି ପ୍ରଦର୍ଶନରେ ଉତ୍ସାହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୧୦ ବର୍ଷ ପାଇଁ ଓଡ଼ିଶା ଭାରତୀୟ ହକିର ପ୍ରାୟୋଜକ ରହିବ ବୋଲି ଘୋଷଣା କରିଥିଲେ।

ଓଡ଼ିଶାକୁ ମିଳିଥିଲା ପ୍ରଥମ ସ୍ୱର୍ଣ୍ଣ:

ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ଭାରତୀୟ ପ୍ରତିଯୋଗୀ ଐତିହାସିକ ସଫଳତା ଲାଭ କରିଥିଲେ। ଏଥିରେ ପ୍ରତିଯୋଗୀମାନେ ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ ସହ ସମୁଦାୟ ୧୯ଟି ପଦକ ହାସଲ କରିଥିଲେ। ପାରାଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ବ୍ୟାଡମିଣ୍ଟନ୍ରେ ଓଡ଼ିଆ ତାରକା ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତି ବିଶ୍ୱ ଦରବାରରେ ଓଡ଼ିଶାର ଟେକ ରଖିଥିଲେ। ପ୍ରମୋଦ ନିଜର ସୁନେଲି ସଫଳତାରେ ସାଢ଼େ ୪ କୋଟି ଓଡ଼ିଆଙ୍କୁ ଗର୍ବିତ କରିଥିଲେ। ପ୍ରମୋଦଙ୍କ ବ୍ୟତୀତ ସୁମିତ ଆନ୍ତିଲ, ମନୀଷ ନରୱାଲ, କ୍ରିଷ୍ଣା ନଗର ଓ ଅବନି ଲେଖରା ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଅବନି ଲେଖରା ସ୍ୱର୍ଣ୍ଣ ସହ କାଂସ୍ୟ ଓ ସିଙ୍ଗରାଜ ଅଧାନା ରୌପ୍ୟ ଓ କାଂସ୍ୟ ଦୁଇଟି ଲେଖାଏଁ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଥିଲେ।

କରୋନା ମହାମାରୀର ଯୋଗୁ ଗୋଟିଏ ବର୍ଷ ବିଳମ୍ବିତ ହୋଇଥିବା ଏବଂ ଅସ୍ୱଭାବିକ ପରିସ୍ଥିତିରେ ବିନା ଦର୍ଶକରେ ଖେଳା ଯାଇଥିବା ଏହି ଅଲିମ୍ପିକ୍ସରେ ଭାରତ ଐତିହାସିକ ସଫଳତା ହାସଲ କରିଥିଲା

Leave a Reply