ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଥିଲା ୨୦୨୦ର ଏସବୁ ଚ୍ୟାଲେଞ୍ଜ

1 min read

ଆଉ ଦିନ କେଇଟା ପରେ ବିଦାୟ ନେବାକୁ ଯାଉଛି ୨୦୨୦ ମସିହା । ଯାହାକୁ ନେଇ ଏକପ୍ରକାର କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଆଉ ନୂତନ ବର୍ଷକୁ ଆଗମନ କରିବା ଲାଗି ଉତ୍ସାହର ସହ ଅପେକ୍ଷା କରିଛନ୍ତି । ୨୦୨୧କୁ ନେଇ ଲୋକମାନଙ୍କ ମଧ୍ୟରେ ଭରି ରହିଛି ଆଶା ଓ ଉନ୍ମାଦନା । ଯଦିଓ ୨୦୨୦ ମସିହା ବିଦାୟ ନେବାକୁ ଯାଉଛି ହେଲେ ଏହି ବର୍ଷ ଅନେକଙ୍କ ମନରେ ଭୟ ଛାପ ଛାଡିଯିବ । କାହିଁକିନା ଚଳିତ ଥର କୋଭିଡ-୧୯ ମହାମାରୀ ଯୋଗୁଁ ଦେଶବ୍ୟାପୀ କଟକଣା ଲାଗୁ କରାଯାଇଥିଲା ।

ଯାହା ଫଳରେ ଲୋକମାନଙ୍କର ଜୀବନ ଜୀବିକା ଉପରେ ପ୍ରଭାବ ପଡିଥିଲା । ଏପରିକି କରୋନା କଟକଣା ଯୋଗୁଁ ଜନସାଧାରଣଙ୍କୁ ପାଖାପାଖି ୮ ମାସ ଧରି ଘରେ ଲକଡାଉନ୍ ହେବାକୁ ପଡିଥିଲା । ଘରେ ବସିବସି ଲୋକମାନେ ବୋର୍ ହେଉଥିବା ବେଳେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା ବିଭିନ୍ନ ଚାଲେଞ୍ଜ । ଯେଉଁଥିରେ ୟୁଜର୍ସ ପରସ୍ପରକୁ ବିଭିନ୍ନ ଚ୍ୟାଲେଞ୍ଜ ଦେଉଥିଲେ ।

ସେଫ୍ ହ୍ୟାଣ୍ଡସ୍:
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ୱଚ୍ଛତା ନେଇ ସଚେତନତା କରାଯିବା ପରେ ସୋସିଆଲ ମିଡିଆରେ #safehands ନାମକ ଏକ ଚ୍ୟାଲେଞ୍ଜ ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ କରୋନାଭାଇରସ୍ ରୋଗର ମୁକାବିଲା ପାଇଁ ହାତକୁ ଭଲଭାବେ କିଭଳି ଧୋଇବେ ସେନେଇ ଲୋକମାନଙ୍କୁ ଆହ୍ୱାନ କରାଯାଉଥିଲା । କେବଳ ଯେ ୟୁଜର୍ସ ତା’ନୁହେଁ । ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ସେଲିବ୍ରିଟି ଏବଂ ଲୋକପ୍ରିୟ ବ୍ୟକ୍ତିବିଶେଷ ମାନେ ମଧ୍ୟ 20 ସେକେଣ୍ଡ ହାତ ଧୋଇବାର ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ |

ଶାଢୀ ଚ୍ୟାଲେଞ୍ଜ: 
ଲକଡାଉନରେ ଘରେ ବସି ବସି ବୋର୍ ହେଉଥିବା ବେଳେ ଖାସ୍ କରି ମହିଳା ଓ ଝିଅ ମାନେ ସୋସିଆଲ୍ ମିଡିଆରେ ନିଜ ନିଜ ସାଙ୍ଗ ମାନଙ୍କୁ ଶାଢୀ ଚ୍ୟାଲେଞ୍ଜ କରିଥିଲେ। ଯାହା ପରେପରେ ଖୁବ୍ ଭାଇରାଲ୍ ହେବା ସହ ୟୁଜର୍ସ ମାନେ ଟ୍ୟାଗ୍ କରିବାକୁ ପଛାଇ ନଥିଲେ । ଯାହା ଫଳରେ ଟ୍ୟାଗ୍ ହୋଇଥିବା ବ୍ୟକ୍ତିମାନେ ମଧ୍ୟ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ସହ ସୋସିଆଲ୍ ମିଡିଆରେ ଶାଢୀ ପିନ୍ଧା ଫଟୋ ଅପଲୋଡ୍ କରିଥିଲେ । ସେମାନେ ମଧ୍ୟ ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ଚ୍ୟାଲେଞ୍ଜ କରିଥିଲେ ।

କ୍ୱାରେଣ୍ଟାଇନ୍ ଚ୍ୟାଲେଞ୍ଜ:
ଏହି ଭାଇରାଲ୍ ଚ୍ୟାଲେଞ୍ଜ ସମଗ୍ର ବିଶ୍ୱର ୟୁଜର୍ସ ମାନଙ୍କୁ ଆକୃଷ୍ଟ କରିଥିଲା । ଏହି ଚ୍ୟାଲେଞ୍ଜରେ ସେମାନଙ୍କୁ ଦୁଇଟି ଚିତ୍ର ଶେୟାର କରିବାକୁ କୁହାଯାଇଥିଲା । ଯେଉଁଥିରେ ସେମାନେ ପୂର୍ବରୁ ବୁଲିଥିବା ସ୍ଥାନର ଫଟୋ ଏବଂ ଘରେ ସମାନ ଢଙ୍ଗରେ ଫଟୋ ଉଠାଇ ଶେୟାର କରିଥିଲେ । ଫେସବୁକ୍ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଚ୍ୟାଲେଞ୍ଜ ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା ।

ଡାଲଗୋନା କଫି ଚ୍ୟାଲେଞ୍ଜ:
କରୋନା ମହାମାରୀ ଜନିତ ଲକଡାଉନ୍ ସମୟରେ ଆଉ ଏକ ଚ୍ୟାଲେଞ୍ଜ ଭାଇରାଲ୍ ହେବାରେ ଲାଗିଥିଲା । ଯାହା ଥିଲା ଡାଲଗୋନା କଫି ଚ୍ୟାଲେଞ୍ଜ । ଏହା ଦକ୍ଷିଣ କୋରିଆର ଡାଲଗୋନା କ୍ୟାଣ୍ଡି ଦ୍ୱାରା ଅନୁପ୍ରାଣିତ ହୋଇଥିଲା । ଏହାର ସହଜ ପ୍ରସ୍ତୁତି ପ୍ରଣାଳୀ ଓ ମନଲୋଭା ଲୁକ୍ ପାଇଁ ଖାଦ୍ୟପ୍ରେମୀଙ୍କ ଗହଣରେ ଏହା ଖୁବ୍ ଲୋକପ୍ରିୟ ହୋଇଥିଲା । ଖାଲି ଏତିକି ନୁହେଁ ୟୁଜର୍ସ ମାନେ ଏହି କଫି ପ୍ରସ୍ତୁତ କରି ସାଙ୍ଗମାନଙ୍କୁ ଟ୍ୟାଗ୍ କରିବା ସହ ଡାଲଗୋନା କଫି ବନାଇବା ଲାଗି ଚ୍ୟାଲେଞ୍ଜ ଦେବାକୁ ପଛାଇନଥିଲେ ।

Leave a Reply