ଦାୟିତ୍ବ ଗ୍ରହଣ କଲେ ନୂଆ ଡିଜିପି ଓ୍ବାଇ.ବି. ଖୁରାନିଆ

ଭୁବନେଶ୍ବର: ନୂଆ ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କଲେ ଯୋଗେଶ ବାହାଦୁର ଖୁରାନିଆ (ଓ୍ବାଇ.ବି. ଖୁରାନିଆ) । କଟକ ସ୍ଥିତି ପୋଲିସ ମୁଖ୍ୟାଳୟ ପହଞ୍ଚି ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ସେ ବିଏସଏଫର ୱେଷ୍ଟର୍ଣ୍ଣ କମାଣ୍ଡାଣ୍ଟ ସ୍ପେଶାଲ ଡିଜି ଭାବରେ କାର୍ଯ୍ୟରତ ଥିଲେ । ସପ୍ତାହେ ପୂର୍ବରୁ ଓଡ଼ିଶା କ୍ଯାଡରକୁ ଫେରିଥିଲେ ।

ହରିୟାଣା କୈଥଲ ଜିଲ୍ଲା ବାସିନ୍ଦା ଓ୍ବାଇ.ବି. ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର । ଓଡିଶା କ୍ୟାଡର ଚୟନ କରିଥିବା ଖୁରାନିଆ ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଭଳି ବିଭିନ୍ନ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଥିଲେ । ପରେ ତାଙ୍କୁ ଡିଆଇଜି ପଦକୁ ପଦୋନ୍ନତି ଦିଆଯାଇଥିଲା । ଏହାପରେ ସେ ଡିଆଇଜି ବ୍ରହ୍ମପୁର, ଭୁବନେଶ୍ବର ଓ ଅତିରିକ୍ତ ପୋଲିସ କମିଶନର ଏବଂ ଡିଆଇଜି ସମ୍ବଲପୁର ଭାବେ କାର୍ଯ୍ୟ କରିଥିଲେ । ଏହାସହ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଓ କ୍ରାଇମବ୍ରାଞ୍ଚ ଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ପରବର୍ତ୍ତି ସମୟରେ ଅତିରିକ୍ତ ଡିଜି ପଦକୁ ପଦୋନ୍ନତି ପାଇ ଭିଜିଲାନ୍ସ ନିର୍ଦ୍ଦେଶକ ଓ ପୋଲିସ କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଓଡ଼ିଶା ପୋଲିସର ଜଣେ ଦକ୍ଷ ଅଫିସର ଭାବେ ପରିଗଣିତ ଖୁରାନିଆ ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ସଫଳତା ହାସଲ କରିଛନ୍ତି । ବିଶେଷ କରି ମୟୂରଭଞ୍ଜ ଏସପି ଭାବେ କାର୍ଯ୍ୟ କରୁଥିବା ସମୟରେ ସେ ବହୁ ଚର୍ଚ୍ଚିତ ଅଷ୍ଟ୍ରେଲିୟ ଧର୍ମପ୍ରଚାରକ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଧରିବାରେ ପ୍ରମୁଖ ଭୂମିକା ନେଇଥିଲେ ।

ସେହିଭଳି ଭାବେ ପୋଲିସ କମିଶନର ଭାବେ କାର୍ଯ୍ୟ କରିବା ସମୟରେ ସେ ଟୁଇନ ସିଟିକୁ ଅପରାଧି ମୁକ୍ତ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ ।