ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ୟାସ୍’, ବାତ୍ୟାର ଆଖି ୩୫ କିଲୋମିଟର ବ୍ୟାସାର୍ଦ୍ଧ

1 min read
Yass intensified into a Very Severe Cyclonic Storm over northwest Bay of Bengal

ଭୁବନେଶ୍ୱର: ଭୟଙ୍କର ବାତ୍ୟା ‘ୟାସ୍’ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ବିଗତ ୬ ଘଣ୍ଟା ହେଲା ମାଡ଼ି ଆସୁଛି । ପୂର୍ବ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୧୬୦ କିଲୋମିଟର ଦୂରରେ ବାତ୍ୟା ‘ୟାସ୍’ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୨୫୦ ଓ ଦୀଘା ଠାରୁ ୨୪୦ ଏବଂ ସାଗରଦ୍ୱୀପ ଠାରୁ ୨୩୦ କିଲୋମିଟର ଦୂରରେ ରହିଛି ।

ଏବେ ପାରାଦୀପ ଡପଲର ରାଡାରରେ ବାତ୍ୟା ‘ୟାସ୍’ର ଆଖି ଦେଖାଯାଉଛି । ବାତ୍ୟାର ଆଖି ୩୫ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବୋଲି ଜଣାପଡ଼ିଛି । ପାଣିପାଗ ବିଭାଗ ଅନୁସାରେ, ବାତ୍ୟା ‘ୟାସ୍’ ବୁଧବାର ଭୋର୍ ସମୟରେ ଉତ୍ତର ଧାମରା ବନ୍ଦର ନିକଟ ଏବଂ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ପହଞ୍ଚି ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦେଇ ଝାଡ଼ଖଣ୍ଡ ଆଡ଼କୁ ଯିବ ।

ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ପବନର ବେଗ ୧୫୫ରୁ ୧୬୫ କିଲୋମିଟର ବେଗରେ ବହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ରହିବ । ବାଲେଶ୍ୱର ଓ ଭଦ୍ରକରେ ସମୁଦ୍ର ଜୁଆର ୨ରୁ ୪ ମିଟର ଉଚ୍ଚରେ ଆସିବ । ୨୭ ତାରିଖ ସକାଳେ ବାତ୍ୟା ଦୁର୍ବଳ ହୋଇ ଅବପାତ ରୂପରେ ଝାଡ଼ଖଣ୍ଡ ମୁହାଁ ହେବ ।

Leave a Reply