TMCରୁ ଯଶୋୱନ୍ତ ସିହ୍ନାଙ୍କ ଇସ୍ତଫା, ରାଷ୍ଟ୍ରପତି ପ୍ରାର୍ଥୀ ହେବା ଚର୍ଚ୍ଚା

ନୂଆଦିଲ୍ଲୀ: ଟିଏମସି ରୁ  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋୱନ୍ତ ସିହ୍ନା ଇସ୍ତଫା ଦେଇଥିବା ଚର୍ଚ୍ଚା  । ଆଗକୁ ରାଷ୍ଟ୍ରପତି ନିର୍ବାଚନରେ ବିରୋଧି ମେଣ୍ଚ ଯଶୋୱନ୍ତଙ୍କୁ ପ୍ରାର୍ଥୀ କରିବା ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା  । ଏଥି ପାଇଁ ଆଜି ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆରମ୍ଭ ହୋଇଛି । ମିଳିତ ବିରୋଧୀ ଦଳଙ୍କ ପ୍ରାର୍ଥୀ ହେବା ପାଇଁ ଶରଦ ପାଓ୍ବାର, ଫାରୁକ ଅବଦୁଲ୍ଲା ଓ ଗୋପାଳକୃଷ୍ଣ ଗାନ୍ଧି ମନା କରିବା ପରେ କାହାକୁ ପ୍ରାର୍ଥୀ କରାଯିବ, ସେ ନେଇ ଆଜିର ବୈଠକରେ ବିଚାରବିମର୍ଶ ହେଉଛି । ଟିଏମସି ପକ୍ଷରୁ ସିହ୍ନାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ପ୍ରସ୍ତାବ ଦିଆଯାଇଛି । ପୂର୍ବରୁ ଖୋଦ୍ ସିହ୍ନାଙ୍କ ଏକ ଟ୍ବିଟରୁ ଇଶାରା ମିଳିଥିଲା ଯେ, ସେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଆଗ୍ରହୀ ଅଛନ୍ତି ।

ଜାତୀୟ ସ୍ବାର୍ଥ ଓ ବିରୋଧୀଙ୍କ ଏକତା ପାଇଁ ସେ କାର୍ଯ୍ୟ କରିବାକୁ ଇଚ୍ଛୁକ ବୋଲି ଯଶୋବନ୍ତ ସିହ୍ନା ଟ୍ବିଟ୍ କରିଛନ୍ତି । ପୂର୍ବତନ କେନ୍ଦ୍ର ଅର୍ଥ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଯଶୋବନ୍ତ ସିହ୍ନା ୨୦୧୮ରେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ବର୍ତ୍ତମାନ ସେ ଟିଏମସିର ଉପସଭାପତି ରହିଛନ୍ତି । ସେପଟେ ରାଷ୍ଟ୍ରପତି ପ୍ରାର୍ଥୀ ସଂପର୍କରେ ବିଚାରବିମର୍ଶ ପାଇଁ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସୁଛି । ସର୍ବସମ୍ମତ ପ୍ରାର୍ଥୀ ଦେବା ପାଇଁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଦଳ ସଭାପତି ଜେ.ପି ନଡ୍ଡା ଗତ ସପ୍ତାହରୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ।