ବାଲ୍ୟ ବିବାହ ବିରୋଧରେ ଲଢ଼େଇ, ଯଶୋଦାଙ୍କୁ ମିଳିଲା V-Awards
1 min readନୂଆପଡ଼ା: ଆଦିବାସୀ ଅଞ୍ଚଳ, ରହିଛି ଅନେକ ସମସ୍ୟା । ପ୍ରାୟତଃ ଏହି ଅଞ୍ଚଳରେ ଝିଅମାନେ ଅଧାରୁ ପାଠ ଛାଡ଼ି ଦେଇଥାନ୍ତି । ଅଧାରୁ ପାଠପଢ଼ା ଛାଡ଼ିବା ପରେ ବାଲ୍ୟ ବିବାହ କରି ଦିଆଯାଇଥାଏ । ଏହା ବିରୋଧରେ ଲଢ଼େଇ ଆରମ୍ଭ କରିଥିବା ଯଶୋଦାଙ୍କୁ ମିଳିଛି ସଫଳତା । ଯଶୋଦାଙ୍କ ଉଦ୍ୟମରେ ପ୍ରାୟ ୧୫ଟି ବାଲ୍ୟ ବିବାହ ରୋକାଯାଇ ପାରିଛି । ଏବେ ଯଶୋଦାଙ୍କ ଏହି ଉଦ୍ୟମକୁ ମିଳିଛି ଅନ୍ତର୍ଜାତୀୟ ସମ୍ମାନ । ଜାତିସଂଘ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରାଳୟ ଯଶୋଦାଙ୍କୁ ସମ୍ମାନିତ କରିଛି ।
ନୂଆପଡ଼ା ଜିଲ୍ଲା ଦୁମେରପାଣି ପଞ୍ଚାୟତ ହଳଦୀ ଗାଁର ଯଶୋଦା ପାଣ୍ଡେଙ୍କୁ ମିଳିଛି ସମ୍ମାନଜନକ ଭି-ଆୱାର୍ଡ । ଯଶୋଦା ଓ ତାଙ୍କ ସାଥୀଙ୍କ ଉଦ୍ୟମରେ ଦୁମେରପାଣି ପଞ୍ଚାୟତ ଏବେ ବାଲ୍ୟ ବିବାହ ମୁକ୍ତ ହୋଇ ପାରିଛି । ଯଶୋଦାଙ୍କୁ ଭି-ଆୱାର୍ଡ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଆନ୍ତର୍ଜାତିକ ସମ୍ମାନ ପାଇଥିବା ଯଶୋଦା ଉତ୍ସାହିତ ଥିବା ବେଳେ ଆଗକୁ ମଧ୍ୟ ଏଭଳି ସାମାଜିକ କୁ-ପ୍ରଥା ବିରୋଧରେ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।
Congratulate Yashoda Pandey from Nuapada on winning the prestigious V-Award 2020 by @UNV_India for her efforts to prevent child marriages in the district. Her work is an inspiration for all and it will make more volunteers to do transformational work in society. pic.twitter.com/4QaHYcvOVx
— CMO Odisha (@CMO_Odisha) December 5, 2020
ଯଶୋଦାଙ୍କୁ ମିଳିଥିବା ସମ୍ମାନ କେବେଳ ତାଙ୍କ ପାଇଁ ନୁହେଁ ବରଂ ସମସ୍ତଙ୍କ ଲାଗି ବୋଲି କହିଛନ୍ତି । ଯଶୋଦା ଗର୍ଲ୍ସ ଫେଡରେସନ୍ ନାମକ ଏକ ଗ୍ରୁପ୍ ଗଠନ କରି ଝିଅମାନଙ୍କୁ ସାମିଲ୍ କରିଛନ୍ତି । ଯଶୋଦାଙ୍କ ଟିମ୍ ଗାଁ ଗାଁ ବୁଲି ଘରେ ଘରେ ବାଲ୍ୟ ବିବାହ କଲେ କଣ ଅସୁବିଧା ହୁଏ ତାକୁ ବୁଝାଉଛନ୍ତି । ବାଲ୍ୟ ବିବାହ ବିରୋଧରେ ଯଶୋଦା ପାଣ୍ଡେଙ୍କ ଲଢ଼େଇ ଦୀର୍ଘ ୪ ବର୍ଷ ହେଲା ଜାରି ରହିଥିବା ବେଳେ ପ୍ରଶଂସା କରୁଛନ୍ତି ସ୍ଥାନୀୟ ଲୋକ ।